ଓଁ ଗଣେଶାୟ ନମଃ
ଓଁ ଗଣେଶାୟ ନମଃ
ନମୋ ନମୋ ଗଣେଶାୟ ନମୋ ଗଜାନନ
ନମୋ ହେ ଜ୍ଞାନାଧିପତି ଗିରିଜା ନନ୍ଦନ।।
ଅଜ୍ଞାନୀ ମାନବ ଶିରେ ତୁମ୍ଭେ କୃପା କର
ତୁମ୍ଭ କୃପା ଧାର୍ଯ୍ୟ କରି ହେବି ମୁଁ ସାକ୍ଷର।।
କୁ ମାର୍ଗେ ଗମନ କଲେ ବାରଣ ଯେ କର
ସୁ ମାର୍ଗେ ପଥ ଦେଖାଅ ଆହେ ଲମ୍ବୋଦର ।।
ଅଧମ ଅକ୍ଷମ ମୁହିଁ ଅଶିକ୍ଷିତ ଜୀବ
ବିନମ୍ ର ବାର୍ତ୍ତାଳାପ ମୋହର ଶୁଣିବ ।।
ଜ୍ଞାନ ଦିଅ ବୁଦ୍ଧି ଦିଅ ଆହେ ବିଦ୍ୟାଧର
ନିର୍ବୋଧର ଗୁହାରିକୁ କରିବ ସ୍ୱୀକାର ।।
ଗଣପତି ଗଣନାଥ ଜ୍ଞାନର ଭଣ୍ଡାର
ମୋର ପରି ମୁଢ଼କୁ ଯେ ନ କରିବ ପର ।।
ତୁମ୍ଭ ଦାନ ବିଦ୍ୟା ବଳେ ଲଭିବି ଜଗତ
ଜ୍ଞାନ ଦେଇ ଅଜ୍ଞାନଙ୍କୁ କରିବି ପଣ୍ଡିତ ।।
ସଂସାରରେ ଭରପୁର ଅନୀତି ଆଚାର
ସର୍ବ ସ୍ଥାନେ ବ୍ୟାପି ଅଛି ଅଜ୍ଞାନ ଅନ୍ଧାର ।।
ଘୋର କାଳ ରୂପେ ତାହା ବିନାଶାଇ ବିଶ୍ଵ
ପରିଶେଷେ ବସୁନ୍ଧରା ହୋଇ ଯିବ ନିଃସ୍ୱ ।।
ଦର୍ଶନ କରାଅ ପଥ ପୋଥି ରାଜେଶ୍ୱର
ଅଜ୍ଞାନର ଅନ୍ଧାରକୁ କର ତୁମ୍ଭେ ଦୁର ।।
