ଗରଜିଲା ମେଘ ବରଷେ ନାହିଁ
ଗରଜିଲା ମେଘ ବରଷେ ନାହିଁ
ଘଡ ଘଡ ଘଡ ଗରଜଈ ମେଘ
ଲାଗଇ ଆସିବ ଝଡ଼,
ବିଜୁଳି ଚମକେ ଚଉଦିଗ ସାରା
ଦେଖି ଲାଗିଯାଏ ଡର l
ସମୀର ଦଉଡ଼େ ହଡ଼ବଡ଼ ହୋଇ
ଦୋହଲାଇ ଦିଏ ଧରା,
ଦେଖୁ ଦେଖୁ କିଛି କ୍ଷଣକ ମଧ୍ୟରେ
ମହୀରେ ପଡଇ ଖରା l
ଲାଗୁଥିଲା କିଛି ମୁହୂର୍ତ୍ତକ ପାଇଁ
ହୋଇଯିବ ବର୍ଷାପାତ,
ମୃତ୍ତିକାରେ ଆଦ୍ରପଣ ଆସିଗଲେ
ବୀଜ ହେବ ତହୁଁ ଜାତ l
କରିବେ ଭକ୍ଷଣ ନାନା ଦ୍ରବ୍ୟ ମାନ
ନିଜେ ଚାଷକାର୍ଯ୍ୟ କରି,
ଦୁର୍ଦଶା କଟିବ ସୁଦଶା ଆସିବ
ଦୁଃଖ ଦିନ ଯିବ ସରି l
ଏହି ବର୍ଷା ପରି ଆମ ରାଜନୀତି
ଆଇନ ଓ ଗଣତନ୍ତ୍ର,
ଜନତାଙ୍କୁ ନିଜ ଆୟତେ ରଖନ୍ତି
ଦିଅନ୍ତି ସୁବିଧା ମନ୍ତ୍ର l
ଦେଇଥାନ୍ତି କେତେ ପ୍ରତିଶୃତି ତଥା
ଉଚ୍ଚ ସ୍ଵରେ ସମ୍ଭାଷଣ,
କାମ ସରିଗଲେ ଗରିବ ଲୋକଙ୍କୁ
ଦିଅନ୍ତି କେତେ କଷଣ l
ରାସନ ଓ ଭତ୍ତା ମାଗଣା ଯୋଜନା
ପାଉନାହିଁ ଯେଉଁ ଲୋକ,
ତାଙ୍କ ନିକଟକୁ ଯାଆନ୍ତି ନେତାଏ
ମାଗିଥାନ୍ତି ଭୋଟ ଭିକ l
ହାତ ଯୋଡି ପାଦେ ପଡି ନେତାମାନେ
କହି ଥାନ୍ତି ମିଠା କଥା,
ଭୋଟ ସରିଗଲେ ସବୁ ସରିଯାଏ
କାହାକୁ ନ ନୁଁଏ ମଥା l
ଉତ୍କୃଷ୍ଟ ଶାସନ ଆମ ଗଣତନ୍ତ୍ର
ଶାସିତ ହେଲେ ଶିକ୍ଷିତ,
ନିଜ ରାଜନେତା ନିଜେ ହିଁ ବାଛିବ
ନ ହୋଇ କାହାରି ମିତ l
ସବୁ ତ ଏଇଠି ବିରାଡ଼ି ବୈଷ୍ଣବ
ଖେଳୁଛି ତରାଜୁ ଖେଳ
ଯେଉଁଆଡେ ଟଙ୍କା ସେଇ ଆଡେ ମୁହଁ
ସରିଗଲେ ହରିବୋଲ l
