ଟିକି ଚଢେଇ
ଟିକି ଚଢେଇ


ଟିକି ଚଢ଼େଇଟେ ଘର କରିଥିଲା
ଆମର ପିଜୁଳି ଗଛରେ,
ଭୋକ ଲାଗିଗଲେ ପିଜୁଳି ଖାଉଛି
ମୋହର ଅଜାଣତରେ l
ଛପି ଛପି ଦିନେ ଗଛକୁ ଚଢ଼ିଲି
ପାଚିଲା ପିଜୁଳି ଗନ୍ଧରେ,
ଖୁମ୍ପି ଖୁମ୍ପି କରି ସୁଆଦେ ଖାଉଛି
ପିଜୁଳି ଲଗାଇ ମୁହଁରେ l
ପଚାରିଲି ତୁମେ କିଏ ହୋ ଭାଇ
ଆମ ଗଛେ କ'ଣ କରୁଛ ?
ମତେ ଚାହିଁ ସିଏ ଉତ୍ତର ରଖିଲା
ଦେଖି ପୁଣି ପଚାରୁଛ l
ମୁଁ ପରା ଗୋଟେ ଟିକି ଚଢ଼େଇ
ଘର ଏଠି ତୋଳିଅଛି,
ଦୂର ଗଗନରେ ସ୍ୱାଧୀନେ ଉଡ଼ୁଛି
ଡାଳ ଡାଳ ଡ଼େଇଁ ବୁଲୁଛି l
ସୁନୀଳ ଆକାଶ ମୋହର ଦୁନିଆ
ମୁକ୍ତ ଭାବେ ଉଡ଼ିବୁଲେ,
ପୃଥିବୀ ବୁକୁରେ ବିଚରଣ କରେ
ଡାଳେ ଡାଳେ ଆସି ଝୁଲେ l
ଯୋଉଠି ପାଉଛି ଖୁଦ ଦାନା କୁଣ୍ଡା
ସେଠି ଆସି ଖୁମ୍ପି ଖାଏ,
ଦିନ ସାରା ଏଇ ବଣ ଜଙ୍ଗଲରେ
ଝୁମି ଝୁମି ଖୁସି ପାଏ l
ଅହରହ ଖାଲି ଚେଁ ଚାଁ ଚୁଇଁ
ରାତିରେ ଘୁମୁରି ଶୁଏ,
ସକାଳ ପାହିଲେ ଆହାର ବିହାର
ବନ ପାହାଡ଼ରେ ରହେ l
ଟିକି ଚଢ଼େଇର କଥା ଶୁଣି ମୋର
ହୃଦୟେ ଖୁସି ନ ସରିଲା,
ସେହି ଦିନ ଠାରୁ ତାହାର ମୋହର
ସମ୍ପର୍କ ବନ୍ଧୁତା ହୋଇଲା l