STORYMIRROR

Mishra Manasi

Children

3  

Mishra Manasi

Children

କୁନି ଚଢ଼େଇର ଭାବନା

କୁନି ଚଢ଼େଇର ଭାବନା

2 mins
253


କଅଁଳ କଅଁଳ କୁନିଡେଣା ମେଲି

ନୀଳ ଗଗନର ତଳେ

ଉଡ଼ିବୁଲୁ ତୁହି କୁନି ଚଢ଼େଇଟି

ମନଖୋଲା ଆନନ୍ଦରେ ।1।

କିଚିରିମିଚିରି ମଧୁର ସ୍ୱରରେ

ମାଦକତା ଦେଉ ଭରି

ତୋ ସ୍ୱର ଶୁଣିଲେ ଦୁଃଖ ହରିଯାଏ

ମନ ମୋ ଉଠଇ ପୂରି ।2।

ଆକାଶ ବୁକୁରେ ଭସା ବାଦଲରେ

ଭାସିଲେ ବ୍ୟୋମ ଜାହାଜ

ମନହୁଏ ତୋର ଉଡିଯାଇ ସାଥେ

ଛୁଅଁନ୍ତୁ ଜହ୍ନ ରାଇଜ ।3।

ସଞ୍ଜ ନଇଁଗଲେ ଅସ୍ତାଚଳେ ରବି

 ନାଲିଆ ମୁରୁଜ ବୁଣି

ଗଛଡ଼ାଳେ ବସି ଦୂର ଆକାଶରୁ

ତାରାଫୁଲ ଥାଉ ଗଣି ।4।

ଭସା ବାଦଲ ର ସଙ୍ଗେ ଉଡିଯାଇ

 ଜହ୍ନ ସାଙ୍ଗେ ବସି ମିତ 

ମନେଭାବୁ ତୋଳି ଆଣନ୍ତୁ ସରଗୁ

 ତାରା ଫୁଲ ଶତ ଶତ ।5।

ତାରାଫୁଲ ନେଇ ମନ ସୂତାଖିଏ

ହାର ତୁ ଗୁନ୍ଥନ୍ତୁ ବସି

ହସର ପାଖୁଡ଼ା ସଭିଙ୍କୁ ବାଣ୍ଟନ୍ତୁ

ମାଆ ତୋ ହୁଏନ୍ତା ଖୁସି ।6।

ସକାଳ ସୂରୁଜ ସୁନେଲି କିରଣେ

ସୁନା ରଙ୍ଗ ଦେହେ ବୋଳି

କୁନିଥଣ୍ଟେ ଧରି ମଜାରେ ଚାଖନ୍ତୁ

ବାଛି ନାନାଜାତି କୋଳି ।7।

ପ୍ରକୃତିମାଆର ନିର୍ମଳ ଝରରୁ

 ପିଇଟିକେ ସୁଧା ଜଳ

ପରମ ତୃପ୍ତିରେ ଭୁଞ୍ଜନ୍ତୁ ସରାଗେ

ଜଙ୍ଗଲର ମିଠା ଫଳ ।8।

ସାଙ୍ଗସାଥୀ ମେଳେ ପ୍ରଜାପତି ପଛେ

 ହସ କଉତୁକେ ମାତି

ନାଚି ନାଚି ଡେଇଁ ନଦୀ ପରବତ

ଖେଳୁଖେଳ ନାନାଜାତି ।9।

କାଳ ଵଇଶାଖୀ ବାଆ ବତାସରେ

ମନେମନେ ଡରିଯାଇ

ମାଆ କୋଳେ ମୁଣ୍ଡ ରଖି ନିରାପଦେ

ପଡୁତୁ ସୁଖରେ ଶୋଇ । 10।

ମାଆ କୋଳ ସ୍ନିଗ୍ଧ

କାଉଁରୀ ପରଶ

କଳ୍ପଛାୟା ସୁଶୀତଳ

ତା ଦେହ ରକତୁ

ନିତି ପଲ୍ଲବନ୍ତି

ନବ ପଲ୍ଲବ ସକଳ ।11

ମଳିନ ମୁଖରେ 

ମା' ଆଗେ ବଖାଣୁ

ତୋର ମରମର ବ୍ୟଥା

କହିଦେଏ ମଆ ଆମ ଘର କିଆଁ

ପାଲଟୁଛି ମରୁକାନ୍ତା ?12

ମିଠା ମିଠା ଆଉ ପବନ ବହୁନି

ଦେହ ମୋ ଯାଉଛି ତାତି

କୁନିଡେଣା ମୋର ଥକି ପଡୁଅଛି

ଥରି ଯାଉଛି ମୋ ଛାତି ।13।

ଇନ୍ଦିର ଦେବତା ରୁଷି ବସିଛନ୍ତି

ବରଷା ଦେଉନି ଢାଳି

ଗଛ ପତରରେ ନାହିଁ ଫୁଲଫଳ

ସୁରୁଜ ଦେଉଛି ଜାଳି ।14।

 ମେଘ ସବାରୀରେ

ବସି ବର୍ଷା ରାଣୀ

ମର୍ତ୍ତେ ନ ଆସେ ଓହ୍ଲାଇ

ପର୍ବତ ଶିଖରେ

ପୁଛ୍ଛ ମେଲି ଶିଖୀ

ନୃତ୍ୟ ରଙ୍ଗେ ମଜ୍ଜେ ନାହିଁ।15

 ଚାତକର ତଣ୍ଟି ଶୁଖି ଯାଉଅଛି

କୋଇଲି ଗାଉନି ଗୀତ

ଫୁଲରେ ସାଜୁନି ଫୁଲେଇ ଫଗୁଣ

ଉଭେଇ ଯାଉଛି ଶୀତ।16।

ବଞ୍ଚିବା କେମିତି ପୃଥିବୀ ରାଇଜେ

ଧରଣୀ ହୁଏ ସନ୍ତୁଳି

ସମଦଶା ଆମେ ଭୋଗିବା ସଭିଏଁ

ଅହରହ ହୁଏ ଭାଳି ।17।

ତୋପରି ସରଳ ନିରୀହ ମନରେ

 କେତେଯେ ଗହନ ଚିନ୍ତା

ନୈସର୍ଗିକ ଶୋଭା ପ୍ରକୃତି ସୁରକ୍ଷା ।

ଝରୁଛି ସ୍ନେହ ମମତା ।18।

 ଫେରିମୁଁ ଯାଆନ୍ତି ମୋ ପିଲାଦିନକୁ

 ତୋପରି ସରଳ ହୋଇ

ବୁଝାଇ କହନ୍ତି ଜଗତ ବାସୀଙ୍କୁ 

ତୋ ମନ ବାରତା ନେଇ ।19

ଜଙ୍ଗଲ ରହିଲେ ଜୀବନ ରହିବ

 ପରିବେଶ ହେବ ରକ୍ଷା

ମାଟି, ପାଣି ଆଉ ବିଶୁଦ୍ଧ ପବନେ

ପ୍ରକୃତି ହେବ ସୁରକ୍ଷା ।20।




Rate this content
Log in

Similar oriya poem from Children