କିରି କିରି ଦେ ହସି
କିରି କିରି ଦେ ହସି


କିରି କିରି ଦେ ହସି
**************
କୁନୁମୁନିଆଁ ତୋ କାଉଁରି ମୁହଁରେ
ଡବ ଡବ ଦୁଇ ଆଖି,
କୁସୁମ କଳିକା ଓଠ ଦୁଇ ଧାରେ
ମିଠା ହସ ଥାଏ ଲାଖି I
ମନ ମାରି କାହିଁ ସକେଇ କାନ୍ଦୁଛୁ
ଆଲୋ ମୋ ଟୁଉକୁମୂଷି,
ରାଗ ରୂଷା ଭୁଲି ଆ ମୋ କୋଳକୁ
ସେନେହେ ଦେବି ଆଉଁସି I
ନୂଆ କୁଣ୍ଢେଇ ଟେ ଆଣି ଦେବାପାଇଁ
ରୂଷିକି ବସିଛୁ ଏଠି,
ତୋ ପାଇଁ ତ ମୀନା ବଜାର ଉଠେଇ
ଆଣିବିଲୋ ସୁନାନାକି I
ତୋ ଲୁହ ଝରିଲେ ଅନ୍ତରଟା ମୋର
ବତୁରି ବତୁରି ଯାଏ,
ସଂସାର ଯାକର ସୁଖ ଯେତେ ଧନ
ନିଗିଡ଼ିକି ବୋହିଯାଏ।
ଆସନ୍ତା ଛୁଟିରେ ବୁଲେଇ ନେବିଲୋ
ପୁରୀ ସମୁଦର କୂଳ,
ସେପାରି ଦେଖିବୁ ଆକାଶ କରୁଛି
ସାଗରକୁ କେତେ ଗେଲ I
ଲହରୀର ମାଳା ଠେଲାପେଲା ହୋଇ
ଖେଳୁଛନ୍ତି କେତେ ଖେଳ
ଖୁସିରେ ତୋ ପାଦ ଧୋଇଦେବା ପାଇଁ
ହେଉଛନ୍ତି ମାଡଗୋଳ I
ବଡ ଦେଉଳରେ ବଡ ଠାକୁରଙ୍କୁ
ଶକତ ମୁଣ୍ଡିଆ ମାରି,
ଆନନ୍ଦ ବଜାରେ ଖାଇବା ତୋ ପ୍ରିୟ
ଅବଢା ଓ ମିଠା ଡ଼ାଲି I
ଦିନେ ଯିବା ପଶୁ ଅଭୟାରଣ୍ୟ ସେ
ନନ୍ଦନକାନନ ବୁଲି,
କେତେ ଜାତି ପଶୁ ପକ୍ଷୀ ଦେଖି ମାମା
ଖୁସିରେ ନାଚିବୁ ଖାଲି I
ନିକୋ ପାର୍କ ଯାଇ ଖୁସିରେ ଝୁମିବୁ
ଖେଳି କେତେ ଦୋଳି ଖେଳ,
ପ୍ଲାନେଟୋରିଅମ ଭିତରେ ଦେଖିବୁ
ଗ୍ରହ ତାରାଙ୍କର ମେଳ I
ଦେଖେଇବି ଦିନେ ବୁଲେଇକି ତତେ
ପାରାଦୀପର ବନ୍ଦର,
ଜାହାଜ ମୁକୁଟ ପିଂଧିକି କେମିତି
ସୁନ୍ଦର ଦିଶେ ସମୁଦ୍ର I
ସରଗ ତାରା ମୋ ଦୁଃଖ ପାଶୋରା
ମୋ ଗଣ୍ଠିଧନ ଗଳାମାଳି,
ତୁଉ ମୁଁ ମିଶିକି ଖୁସିରେ ଖେଳିବା
ଏବେ ଟିକେ ଲୁଚକାଳି I
ରାଗ ରୁଷା ଛାଡି ମନ ଖୋଲି ଏବେ
କିରି କିରି ଦେ ହସି,
ସୁନେଲି ମୁହଁରୁ ହୀରାର ମୁକୁତା
ଝର ଝର ଯାଉ ଖସି I