ଦେଖ ତୋ ମାଣ ପୁରିଛି
ଦେଖ ତୋ ମାଣ ପୁରିଛି
ଦେଖିଲା ନୟନେ ବନ ବୁଦାଶିରେ କପୋତ ମାତା କାନ୍ଦୁଛି ,
ଦୁଇପଦ କଥା କହିଦେ ଧନରେ ଦେଖ ତୋ ମାଣ ପୁରିଛି ।
ସତ ନ ହେଲେ ବି ମିଛ କଥା ନୁହେଁ ଜନଶ୍ରୁତି କଥାଟିଏ ,
ମନକୁ ପଛକେ ନ ପାଉ କୋବିଦେ କବିର କଲମ କହେ ।
କାଉ କପୋତଙ୍କ ମାତା ବେନି ଦିନେ ଡାକି ନିଜ ନିଜ ଧାନ,
ଚାଉଳ କରିବା ପାଇଁ ଦେଇଥିଲେ ଦୁହିଁଙ୍କୁ ଦିମାଣେ ଧାନ ।
କପୋତ ଛୁଆଠୁ କୁଆ ଛୁଆ ପରା ସବୁଠୁ ବଡ଼ ସିହାଣ,
ଆଗ ତୁରା ଜାଣି ତସୁ ଖୁଦ କୁଣ୍ଡା ମାଣରେ କଲା ପୂରଣ ।
ତସୁ ଖୁଦ କୁଣ୍ଡା ଉପରେ ଥୋଇଲା ଚାଉଳ ଯତ୍ନେ କିପରି ,
ଜାଣି ନ ପାରିଲା କପୋତ ଶାବକ ଛଳେ ଦେଲା ମାଣ ଭରି ।
କପୋତ ଛୁଆଟି ନୁହଁଇ ଲମ୍ପଟ ଜାଣିନି ତାର ଆଚାର,
ଖୁଦ ତସୁ କୁଣ୍ଡା ରଖିଲା ଅଲଗା ଚାଉଳ ଅଧା ତା ସେର ।
ନିଜ ନିଜ ଛୁଆ ଥୋଇଦେଲେ ସେର ନିଜ ନିଜ ମାତା ପାଶେ ,
ଦେଖିଲା କୁଆର ମାଣକ ପୁରିଛି ତା ମାତା ପାଖରେ ହସେ ।
କପୋତ ଜନନୀ ଦେଖିଲା ତା ଛୁଆ ସେରକ ହୋଇଛି ଅଧା ,
ସେଥିପାଇଁ କ୍ରୋଧେ କପୋତ ମାତାର ମନରେ ଆସିଲା ଦିଧା ।
ତମ ତମ ହୋଇ କ୍ରୋଧ ବିକଳରେ ଛୁଆକୁ ଦେଲା ବାଡେଇ,
ଦରମରା ହୋଇ ପଡ଼ିଲା ଶାବକ ଭୂମିରେ ଦେଲା ଗଡ଼ାଇ ।
କିଛି କ୍ଷଣ ପରେ ଦେଖି ଦେଲା ମାତା ଛୁଆର ଛାଡିଛି ପ୍ରାଣ,
ସେର ତଳେ କୁଆ ଛୁଆ ରଖି ଖୁଦ କୁଣ୍ଡା କରିଛି ପୂରଣ ।
କପୋତର ମାତା ଧାନ ଖୁଦ କୁଣ୍ଡା ପୁରାଇ ଦେଖିଲା ତାର
ଚାଉଳ ରଖିଲା ମାଣକୁ ଦେଖିଲା ପୂରଣ ହେଲା ସେର ।
ରୋଦନ କରିଲା କପୋତର ମାତା ମଥା କୋଡି କାନ୍ଦୁ ଅଛି ,
ଖୁଦ କୁଣ୍ଡା ଦେଇ ରଖିଲେ ଧନରେ ମାଣ ତ ପୁରିଯାଇଛି ।
କ୍ରୋଧ ଯୋଗୁଁ ସିନା କପୋତ ମାତା ସନ୍ତାନ କରି ନିହତ ,
ଶିକ୍ଷା ଦେଇଗଲା ଜଗତ ବାସୀଙ୍କୁ କ୍ରୋଧ ଦେ ଦୁଃଖ ବହୁତ ।
ସେହି ଦିନ ଠାରୁ ବନ ବୁଦାଶିରେ କପୋତ ମାତା କାନ୍ଦୁଛି,
ଦୁଇପଦ କଥା କହି ଦେ ଧନରେ ଦେଖ ତୋ ମାଣ ପୁରିଛି ।