ଆଉ ପରା ଶୁଣା ଯାଉ ନାହିଁ
ଆଉ ପରା ଶୁଣା ଯାଉ ନାହିଁ
ଅଗଣାରେ ବସି କାକ
ରାବ ସୂଚିତ କରଇ ଅତିଥି ଆଗତ
ଗଛ ଡାଳେ ଝୁଲୁ ନାହିଁ
ବାଇ ଚଢେଇ ସୁନ୍ଦର ବସା ତା ଗୀତ
ଆଉ ପରା ଶୁଣା ଯାଉ ନାହିଁ ।
ଚାଳ ଘରେ ଚାଳ ତଳେ
ଘର ଚଟିଆର କିଚିରି ମିଚିରି ଶବଦ
ଘର ବାରଣ୍ଡା କାନ୍ଥରେ
ସୁନ୍ଦରୀ ପାରାର ଗୁମୁରୀ ଗୁମୁରୀ କାନ୍ଦ
ଆଉ ପରା ଶୁଣା ଯାଉ ନାହିଁ ।
ମକର ବଉଳ ଡାକ
ସଙ୍ଗାତ ତୁଳସୀ ଅଳେଇଚ ଓ ଲବଙ୍ଗ
ଭକ୍ତି ସ୍ନେହ ମମତାରେ
ଭରା ଚଳନ୍ତି ଠାକୁର ବାପା ବୋଉ ଡାକ
ଆଉ ପରା ଶୁଣା ଯାଉ ନାହିଁ ।
ଘୁଡୁକି କେନ୍ଦରା ବାଦ୍ୟ
ସଚେତନତା ବାର୍ତ୍ତା ପ୍ରସାର ଓ ପ୍ରଚାର
ଉଦବୋଧନ ମୂଳକ
ଗାଥା ଗୀତ ଭାଇ ଚକୁଳିଆ ପଣ୍ଡା ସ୍ୱର
ଆଉ ପରା ଶୁଣା ଯାଉ ନାହିଁ ।
ବରଗଛ ବସା ଦେହେ
କୁର୍ବଳର ରାବ ପାହାନ୍ତି କୁକୁଡ଼ା ସ୍ୱର
କୋଇଲି ମଧୁର ସ୍ଵନ
p>
କୁହୁ କୁହୁ ତାନ ତ ବସନ୍ତ ସମୟର
ଆଉ ପରା ଶୁଣା ଯାଉ ନାହିଁ ।
ହଳ ନେଇ ଗଲା ବେଳେ
ଶଗଡ଼ ଶବଦ କି ଭାଇ ହଳୁଆ ଗୀତ
ଗାଈ ଗୋଠ ବଂଶୀ ସ୍ଵନ
ଗାଇଆଳ ଟୋକା ଗୀତ ମୁଢି ଗଣ୍ଠିଲିତ
ଆଉ ପରା ଶୁଣା ଯାଉ ନାହିଁ ।
ଶିଳ ଘୋରଣା ଓ ଢିଙ୍କି
ଚାଉଳ ଚୁଡା ବିରି ମୁଗ ଲଙ୍କା କୋଳଥ
ଯୁବ ଯୁବା ବିବାହରେ
ସଜ୍ଜିତ ପଲଙ୍କ ସବାରି କାନ୍ଦଣା ଗୀତ
ଆଉ ପରା ଶୁଣା ଯାଉ ନାହିଁ ।
କୁମ୍ଭ ଓଷା ରଜ ଦୋଳି
ଖୁଦୁରୁକୁଣୀ ଓ କୁମାର ପୂର୍ଣ୍ଣିମା ଗୀତ
କାନ୍ଧମିଶା ଭାତୃଭାଵ
ଜନ୍ତାଳ ଭୋଜି ଭାଇ ତଲାସ ଏକତ୍ରିତ
ଆଉ ପରା ଶୁଣା ଯାଉ ନାହିଁ ।
ହରିବୋଲ ହୁଳହୁଳି
ଗୀତା ଭାଗବତ ପୁରାଣ ପୋଥି ହେ ଜ୍ଞାନୀ
ଯାତ୍ରା ମେଳା ମଉଜରେ
ନାମ ସଂକୀର୍ତ୍ତନ ଘଣ୍ଟି ଘଣ୍ଟ ଶଙ୍ଖ ଧ୍ୱନୀ
ଆଉ ପରା ଶୁଣା ଯାଉ ନାହିଁ ।