ଏମିତି କାହିଁକି ହୁଏ
ଏମିତି କାହିଁକି ହୁଏ
ସପନପୁର ଗ୍ରାମରେ ଦୁଇଜଣ ଶିଶୁ ଅଳ୍ପ ବୟସରୁ ବିଲକୁଲ୍ ସାଙ୍ଗ ହୋଇ ଆସୁଥିଲେ। ଦୁହେଁ ଦୁହିଁଙ୍କୁ ଏତେ ଭଲପାଉଥିଲେ ଯେ ଦଣ୍ଡେ ନ ଦେଖିଲେ ବଞ୍ଚି ରହିବା କାଠିକର ପାଠ ହେଉଥିଲା। ସେମାନେ ଛୋଟରୁ ବଡ଼ ହେଲେ ଭଲ ପାଠ ପଢି଼ ବଡ଼ ମଣିଷ ହେବାର ସ୍ବପ୍ନ ମଧ୍ଯ ଦେଖିଲେ। ଦୁହିଁଙ୍କର ଇଚ୍ଛା ଓ ଆଶାଙ୍କୁ ଈଶ୍ବର ମଧ୍ଯ ଯଥାଶୀଘ୍ର କର୍ମର ଫଳକୁ ଅଜାଡି଼ ଦେଲେ। ଦୁହିଁଙ୍କର ବନ୍ଧୁତ୍ବ ଯଦିଓ କ୍ଷୀର ଓ ନୀର ପରି ଥିଲା ହେଲେ କର୍ମର ପଥ ବିଲକୁଲ୍ ଭିନ୍ନ ହିଁ ଥିଲା। ଜଣେ ଧର୍ମର ପଥରେ ମନଯୋଗ ସହ ଆଗେଇ ଗଲା ତ ଅନ୍ଯ ଜଣେ ଅଧର୍ମର ପଥରେ ଚାଲିଲା। ଦୁହେଁ ଯଦିଓ ପରସ୍ପର ପ୍ରତି ଅନାବିଳ ସ୍ନେହ,ପ୍ରେମ ଓ ଭଲ ପାଇବା ଦେଉଥିଲେ ହେଲେ କେହି କାହାକୁ ନିଜ ନିଜର କର୍ମର ପଥ କହୁନଥିଲେ। ଦୁହେଁ ଦୁହିଁଙ୍କର କର୍ମର ପଥ ବିଲକୁଲ୍ ଜାଣିଥିଲେ ତଥାପି ଭଲ କ'ଣ? ମନ୍ଦ କ'ଣ? ପରସ୍ପର କଥାବାର୍ତ୍ତା ହୁଅନ୍ତି ହିଁ ନାହିଁ।
ଧର୍ମର ପଥରେ ଯାଉଥିବା ଯୁବକ ଜଣଙ୍କର ନାମ ଥିଲା ସୁଜନ ଆଉ ଅଧର୍ମର ପଥରେ ଯାଉଥିବା ଯୁବକର ନାମ ସୁବଳ। ସୁଜନ ଜଣେ ଭଲ ସରକାରୀ ଚାକିରି କରିଥିଲା। ଯଦିଓ ଉପୁରି ଅର୍ଥରେ ଭାସି ପାରନ୍ତା ହେଲେ କୌଣସି ଉତ୍କୋଚ ନନେଇ ନିଜର ଧର୍ମ ଓ କର୍ମରେ ଲାଗି ପଡୁଥିଲା। ଦୁଃଖୀର ଦୁଃଖ ବୁଝୁଥିଲା। ଅସହାୟକୁ ସହାୟ ସହିତ ବିଭିନ୍ନ ଯଜ୍ଞ,ହୋମ,ଦାନ ଓ ଦକ୍ଷିଣା ଦେଇ ନିଜକୁ କୃତାର୍ଥ ମଣୁଥିଲା। ସେ ଯଦିଓ ଭଲ ରୋଜଗାର କରୁଥିଲା ହେଲେ ଧର୍ମର ପଥରେ ଯାଇ ଭଲକି ବିଛଣା ଟେ ବି ପାଖରେ ନଥିଲା ତଥାପି ସେ ଆରାମ ଓ ନିଘୋଡ଼ ନିଦରେ ଶୋଉଥିଲା। ସତ୍ଯ ପଥରେ ଚାଲିବାରୁ ତାକୁ ଅନେକ ଲୋକ ଦୋଷୀରେ ସାବ୍ଯସ୍ତ କରୁଥିଲେ। ମାତ୍ର ଅଧର୍ମ ପଥରେ ଯାଉଥିବା ଯୁବକ ସୁବଳ ଭାରି କୃପଣ ଥିଲା। ସେ କେବେ ବି ଦୁଃଖୀ ଓ ରଙ୍କିଙ୍କୁ ସାହାଯ୍ଯ ଓ ସହଯୋଗର ହାତ ବଢା଼ଉନଥିଲା। ସେ ଅଧର୍ମ ପଥରେ ଯାଇ ଲୋକଙ୍କର ତଣ୍ଟିଚିପି ଅର୍ଥକୁ ହାତେଇ ଚାଲିଥିଲା । ଅସତ୍ଯର ମଙ୍ଗ ଧରି କେବେ ବି ଦୋଷୀରେ ସାବ୍ଯସ୍ତ ହେଉ ନଥିଲା। ସେଦିନ କୌଣସି କାରଣବଶତଃ ଦୁଇ ସାଙ୍ଗ ଭେଟ ହୋଇଗଲେ ତ ପରସ୍ପର କୁଣ୍ଢାକୁଣ୍ଢି ହୋଇ ଅଭିବାଦନ ତଥା କୃତଜ୍ଞତା ଜଣାଇଲେ କି ସେମାନେ ଏବେ ଯୁବକ ହୋଇବି ବନ୍ଧୁତ୍ବକୁ ବିଲକୁଲ୍ ଭୁଲି ନାହାଁନ୍ତି। ବଡ଼ ହସ ଖୁସିରେ ସେହି ମୂହୁର୍ତ୍ତଟି କଟିଗଲା ଓ ପରସ୍ପର ବିଚ୍ଛେଦ ହେଲା ତ ଏ ସବୁ ଦୃଶ୍ୟ ଦୂରରେ ଥାଇ ଅଜା ନାତିଆ ଦେଖୁଥିଲେ।
ନାତି ଜିତେନ୍ଦ୍ର କହିଲା,"ଅଜା ! ଏହି ଦୁଇଜଣ ଆମ ଗ୍ରାମର ଯୁବକ। ସେମାନେ କୁଆଡେ଼ ଅଳ୍ପ ବୟସରୁ ସାଙ୍ଗ କିନ୍ତୁ ଆଚାର ବିଚାରରେ ଏତେ ଫରକ୍ କାହିଁକି? କ'ଣ ଦୁହେଁ ଏ ବିଷୟର ଆଲୋଚନା କି ସମାଲୋଚନା ହୁଏ ନାହିଁ? ଅଜା କୃତ୍ତିବାସ କହିଲେ,"ଜିତେନ୍ଦ୍ର ! ଆଗକୁ ଅପେକ୍ଷା କର। ଦେଖିବୁ ଅବସ୍ଥା କ'ଣ ହେଉଛି? ସେ ଅଧର୍ମୀ ସୁବଳର।" ଏ କଥା ଶୁଣୁଥିବା ଜିତେନ୍ଦ୍ର କିଛି ନ କହି ଦୌଡି଼କି ପଳେଇଲା। ସେ ତା'ର ସାଙ୍ଗମାନେ ଆସିଗଲେ ତ ବଲ୍,ବ୍ଯାଟ୍,ପ୍ଯାଡ୍ ଆଉ ଗାର୍ଡ୍ ଧରି କ୍ରିକେଟ ଖେଳିବାକୁ ଚାଲିଗଲା।
ଚୈତ୍ର ପର୍ବ ଶେଷ ହେବାର ଅଛି। ଚାରିଆଡେ଼ ଯେମିତି ଶୂନଶାନ୍ ଜଣା ପଡି଼ଲାଣି। ଅପେରା,ପାଲା ଓ ଯାତ୍ରା ପଡି଼ଥିବା କାରଣରୁ ସଭିଏଁ ଭରପୁର ଅନିଦ୍ରା। ଆଜି ନିଘୋଡ଼ ନିଦରେ ଗ୍ରାମବାସୀ ଶୋଇଗଲେ ତ କୁଆଡୁ ଦଳେ ଡକାୟତ ଆସି ସୁବଳର ଅର୍ଥକୁ କଳାକନା ବୁଲେଇ ଦେଇ ଚାଲିଗଲେ। ସୁବଳ ତା' ଜୀବନରେ ଯେଉଁ ପର ଅର୍ଥକୁ ହଡ଼ପ କରି ସଞ୍ଚିଥିଲା ମାତ୍ର କେଇ କ୍ଷଣ ଭିତରେ ଧୂଳିସାତ୍ ହୋଇଗଲା। ସୁବଳକୁ ତ ଖୁଣ୍ଟରେ ବାନ୍ଧି ଦେଇଥିଲେ ତାକୁ ଗ୍ରାମବାସୀ ଉଦ୍ଧାର କଲେ। ଯେଉଁ ଗ୍ରାମବାସୀଙ୍କ ଅର୍ଥକୁ କୌଶଳ କ୍ରମେ ସୁବଳ ନିଜ ହାତକୁ ଟେକି ନେଇଥିଲା। ସୁବଳର ଦେହରେ ଆଘାତ ତ ତାକୁ ଡାକ୍ତରଖାନା ମଧ୍ଯ ନିଆଗଲା। ସୁବଳ ଏବେ ଅନୁତପ୍ତ କି ଯେଉଁମାନଙ୍କ ଅର୍ଥକୁ ସେ ଲୋଲୁପ ଦୃଷ୍ଟିରେ ଦେଖି ଆତ୍ମସାତ୍ କରିଥିଲା ସେହି ଲୋକମାନେ ଆଜି ତାକୁ ସହାୟ ହେଉଛନ୍ତି। ସୁବଳ ଆଖିରେ ଲୁହର ବନ୍ଯା।
ଏଥର ଅଜା କୃତ୍ତିବାସ କହିଲେ,"ଜିତେନ୍ଦ୍ର ! ଏବେ ଦେଖିଲୁ ତ ସୁବଳର ଅବସ୍ଥା କ'ଣ ହେଲା?ଯିଏ ଅନ୍ଯର ଅର୍ଥକୁ ଲୁଟୁଥିଲା ତାର ଅର୍ଥ କେମିତି ଅଳ୍ପକ୍ଷଣରେ ଧୂଳିସାତ୍ ହୋଇଗଲା।" ଏଥର ଜିତେନ୍ଦ୍ର କହିଲା,"ଅଜା ! ଆପଣ କୁହନ୍ତୁ ତ ସୁବଳର ଭବିଷ୍ଯତ କଥା ଜାଣିଲେ କେମିତି?" ଉତ୍ତରରେ କୃତ୍ତିବାସ ଅଜା କହିଲେ,"ଜିତେନ୍ଦ୍ର ! ଏହା ମହାପୁରୁଷଙ୍କ ବାଣୀ-“ଅଧର୍ମ ବିତ୍ତ ବଢେ଼ ବହୁତ, ଗଲାବେଳେ ଯାଏ ମୂଳ ସହିତ”। କର୍ମ ଅନୁସାରେ ଫଳ ସଂସାରରେ ରହିଛି ଓ ରହିବ ମଧ୍ଯ।" ବଡ଼ ଲଜ୍ଜିତ ହେଲା ସୁବଳ ଆଉ ଅନୁତାପ ସହ ସଭିଙ୍କ ସମ୍ମୁଖରେ ନିଜ ଜୀବନର ଗତିପଥକୁ ବଦଳେଇବ ବୋଲି ଶପଥ ନେଲା ଓ ବନ୍ଧୁ ସୁଜନଙ୍କ ପଥରେ ଚାଲିବା ଆରମ୍ଭ କଲା ତ ଗ୍ରାମବାସୀ ସୁବଳ ପ୍ରତି ସ୍ନେହ,ପ୍ରେମ ଓ ଭଲ ପାଇବା ବଢି଼ଗଲା। ଆଜି ସୁବଳ ଓ ସୁଜନ ପୁଣି ଗୋଟିଏ ନାଆରେ ବସିଲେ।ଲୋକ କଲ୍ଯାଣ ଉଦ୍ଦେଶ୍ଯରେ ନିଜକୁ ସମର୍ପିତ ତ ସଭିଙ୍କର ପ୍ରିୟପାତ୍ର ହୋଇଗଲେ। କୀର୍ତ୍ତି ମଧ୍ଯ ବଢି଼ବା ସହିତ ଦେହ,ମନ ଓ ପ୍ରାଣ ପ୍ରଫୁଲ୍ଲ ରହିଲା।
