ରାଧାମୋହନ ଗଡ଼ନାୟକ ସ୍ମରଣେ
ରାଧାମୋହନ ଗଡ଼ନାୟକ ସ୍ମରଣେ
ଶବ୍ଦ ସଂଯୋଜନା, ରୋମାଣ୍ଟିକ ଚେତନା,
ମାନବବାଦ, ସ୍ଵଦେଶ ପ୍ରିତି
ତାଙ୍କର ଲେଖା ଗୁଡିକରେ ପାଇବା
ସୈାନ୍ଦର୍ଯର ନିଖୂଣ ଦିବ୍ୟ ଅନୁଭୂତି ।
ଶ୍ରୀ ଗଡ଼ନାୟକ ସମସାମୟିକ ଥିଲେ ଓଡିଆ
ଭାଷାର ସବୁଜ ଗୋଷ୍ଠୀର
ସେ ଏକକ ଭାବେ ସ୍ଵକୀୟ ଲେଖନୀ ଚାଳନା କରି
ଥିଲେ ନହୋଇ ପ୍ରଭାବିତ ତାହାର ।
କବିଥିଲେ ମାଟି ମଣିଷର, ବାସ୍ତବ ବାଦୀ, ମାନବିକ,
ସ୍ଵାଭିମାନ ଓ ନିର୍ଭିକ ପଣିଆର
ତାଙ୍କ କବିତା ଗୁଡ଼ିକରେ ଦେଖାଯାଏ ଲାଳିତ୍ୟ, ଛନ୍ଦ
ଓ ଗାଥାର ଅପୂର୍ବ ପ୍ରୟୋଗର ।
ସେ ଜନମି ଥିଲେ ୧୯୧୧ ମସିହା ଅଗଷ୍ଟ ୨୫
ତାରିଖରେ ଗାଆଁ କଲଣ୍ଡା ପାଳରେ
ଗ୍ରାମର ଚତୁଃପାର୍ଶ୍ଵ କୁ ଘେରିଥିଲା ମେରାମଣ୍ଡଳୀ
ପାଖ ଦେଇ ଲିଙ୍ଗରା ନଈ ପାଖରେ ।
ପିତାଙ୍କ ନାମ ଥିଲା ମହାଦେବ ଗଡ଼ନାୟକ ଓ
ମାତା ଙ୍କ ନାମ ଗୋଲକମଣି ଦେବୀ
ଲିଙ୍ଗିରା ଓ ବଉଳି ନଦୀର ବାଲୁକାରାଶି ଓ ପ୍ରସ୍ତର
ଶିଳାଖଣ୍ଡ ମାନ ହେଉଛନ୍ତି ଭାବି ।
ସମୃଦ୍ଧ ଓ ରୁଦ୍ଧିମନ୍ତ କରିଛନ୍ତି ଓଡିଆ ସାହିତ୍ୟକୁ
ଲେଖି କାବ୍ୟ ନାୟିକା, ଉତ୍କଳିକା
ଶାମୁକାର ସ୍ଵପ୍ନ, ସୂର୍ଯ୍ୟ ଓ ଅନ୍ଧକାର ସ୍ମରଣିକା,
ମୌସୁମୀ ଓ ଧୂସର ଭୂମିକା ।
ରମଣୀୟ ପରିବେଶକୁ ଅନୁଭବ କରି କବି ଉଦାତ
କଣ୍ଠରେ ଗାଇଥିଲେ --
ମୁଁ ଦେଖିଛି ଏଠି ବସି ସେଇ ଚିତ୍ର
ଆଗରୁ ଯା ହୋଇନାହିଁ ଦେଖା
ମୁଁ ଲେଖିବି ଏଠି ବସି ସେହି କାବ୍ୟ
ଆଗରୁ ଯା ହୋଇନାହିଁ ଲେଖା ।
ତାଙ୍କର ମୁଁ କି କେବେ ଦୀନହିନ କବିତାକୁ ମୁଁ
ଗାଉଥିଲି ଓଡିଶାର ସଭା ସମିତିରେ
ମୋର ମନେ ପଡେ ଲୋମ ଟାଙ୍କୁରି କବିତା
ଉଠୁ ଥିଲା ଶୁଣିଲା ଲୋକ ହୃଦୟରେ ।
"ଯେ ଦେଶର ପୁଅ କଥାକେ କଥାକେ
ଦେଲାରେ ନେଲାରେ ମଥା
ଅମ୍ବର ଚୁମ୍ବି କଣ୍ଠେ ଗାଇଲା
ସଙ୍ଗୀତ ରକତ ତତା ।
ସେହି ରକତ ମୋ ଦେହରେ ବହୁଛି
ହେଉ ପଛେ ଯେଡେ କ୍ଷୀଣ
ସେହି ଦେଶ କୋଳେ ଜନମ ମୋର ରେ
ମୁଁ କି କେବେ ଦିନ ହୀନ। "
ତାଂକ ଲିଖିତ କବିତା ଗୁଡିକ ସଂଗ୍ରାମୀ ମାନେ ଗାଉଥିଲେ-
ରାଇଜ ଛାଡି ଯେ ପଳାଇ ଆସିଛୁ ଆମେ
ଭୀରୁ ବୋଲି ସିନା ଭାବୁଥିବ ତୁମେ ମାନେ
ନୋହୁଁ ଆମେ ପ୍ରାଣରଙ୍କ
ଆମେ ରେ ଏଇଠି ବଜାଇବୁ ଆଜି
ମଣିଷର ଜୟ ଶଙ୍ଖ ।
ପାଇଲେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
୧୯୭୫ ରେ ସୂର୍ଯ୍ୟ ଓ ଅନ୍ଧକାର ପୁସ୍ତକ ପାଇଁ
ପଦ୍ମଶ୍ରୀ ପୁରସ୍କାର ୧୯୯୦ରେ, ଉତ୍କଳ ରତ୍ନ, ଅତିବଡ଼ି
ଜଗନ୍ନାଥ ଦାସ ପୁରସ୍କାର,ବିଷୁବ ପୁରସ୍କାର ପାଇଥାଇ ।
ଜୀବନ ଦୀପ ୨୦୦୦ମସିହା ଫେବୃଆରୀ ୨୧ରେ
ଲିଭିଗଲା ହେ ଛନ୍ଦ ନାୟକ
ଘେନ ମୋର ସ୍ନେହର ପ୍ରଣାମ ମୋ ଅବିଭକ୍ତ ଜିଲ୍ଲାର
ହେ ରାଧାମୋହନ ଗଡ଼ନାୟକ ।
ଭୁଲିବିନି କବିଙ୍କର ତଳ ଲିଖିତ କବିତା ମହାନ୍
ବାର୍ତ୍ତା ବହନ କରେ
ପ୍ରଶ୍ନ ଆସେ ଆମେ ପାଇବାକି ଏପରି ବାର୍ତ୍ତା
ଆଜିର ଲେଖାମାନଂକରେ ।
କବିତା - ମାଟି
ରଚନା ‐ ରାଧାମୋହନ ଗଡ଼ନାୟକ
ସକଳେ ଚାହିଁଲେ ମାନ, ଉଚ୍ଚାସନ,ସ୍ୱାଧିକାର ଭୋଗ
ପ୍ରଥମେ ପାଇଲେ ଯେବେ ସ୍ରଷ୍ଟାର ନିଯୋଗ
ସୃଷ୍ଟି ପରେ,
ଅନମ୍ବର ଜଣାଇଲେ ସୁପ୍ରଶାନ୍ତ ସ୍ୱରେ,
ବାଞ୍ଛିତ ଆସନ ମତେ ହେ ବିଧାତା ଦିଅ ମତେ ଆଗେ
ନିଖିଳ ସୃଷ୍ଟିର ଊର୍ଦ୍ଧ୍ୱଭାଗେ ।
ଅଂଶୁମାନ ଦିବାକର କଲେ ଆବେଦନ,
ମୋହର ବିହାର ଲାଗି ମିଳୁ ତେବେ ଅନନ୍ତ ଅଙ୍ଗନ
ଏଇ ଗଗନର ବକ୍ଷ,
ସାଧିବି ମୁଁ ତୁମର ଯା ଲକ୍ଷ୍ୟ ।
ଚନ୍ଦ୍ର ନିବେଦିଲେ ମୋର ସେଇ ଅଭିଳାଷ
ସେଇ ବ୍ୟୋମ ଦିଅ ମତେ କରିବି ମୋ ନୈଶ ଅଧିବାସ ।
ବାରିଦ ମାଗିଲେ, ମୋତେ ଦିଅ ସେଇ ବର
ମତେ ସୂର୍ଯ୍ୟ-ଚନ୍ଦ୍ର-ଜୟୀ କର
ଦିବାରାତ୍ରି ଯେବେ ଉଇଁ
ଦେଖା ଦେବି ମୁହିଁ,
ସବିତା ଶଶାଙ୍କ ଯେହ୍ନେ ରହିବେ ସନ୍ତ୍ରାସେ
ଅପ୍ରକାଶେ ।
ପ୍ରଭଞ୍ଜନ ଜଣାଇଲେ ପ୍ରଭୁ ମତେ କର ଘନଞ୍ଜୟ
ବଜ୍ର‐ବିଦ୍ୟୁତ୍ ‐ଇରମ୍ମଦମୟ
ହେଉ ପଛେ ଘନ,
ବକ୍ଷେ ତାର ଜଗାଇ କମ୍ପନ
ଉଡ଼ାଇବି ଯେହ୍ନେ ତାରେ ମୋର ଇଚ୍ଛାମତେ
ବିଶ୍ୱପଥେ ।
ସ୍ରଷ୍ଟାର ନିକଟେ ତେବେ ଯେ ଚାହିଁଲେ ଯାହା
ଚକ୍ଷୁର ପଲକପାତେ ସେ ପାଇଲେ ତାହା ।
ତୁମେ କିନ୍ତୁ ମୌନମୟୀ ଆଗୋ ମାଟି, ସେତେବେଳେ କାହିଁ
ପଦଟିଏ ଉଚ୍ଚାରିଲ ନାହିଁ ?
ଏଡ଼ିଦେଇ ସୁବର୍ଣ୍ଣ ସୁଯୋଗ
ମାଗିନେଲ ନାହିଁ କିଛି ସଂଭ୍ରମ ସଂଭୋଗ ।
ସବୁରି ଚରଣପ୍ରାନ୍ତେ ପାରିନେଲ ମଳିନ ଆସନ
ନ କରି କାତର ଅକିଞ୍ଚନ ।
ତୁମର ସେ ନିରବତା ମୌନତା ସତ୍ୱର
ପରଶିଲା ଖିଆଲୀ ସେ ବିଧାତାର ଗୋପନ ଅନ୍ତର ।
ଦୃଷ୍ଟି ଢାଳି ପ୍ରୀତି ଢଳ ଢଳ
ଜିଜ୍ଞାସିଲେ ସୃଷ୍ଟିର ଈଶ୍ୱର,
ତୁମର କି ନାହିଁ କିଛି ଭିକ୍ଷା ?
ତବ ଇଚ୍ଛା ସେହି ମୋର ଦୀକ୍ଷା ।
ମୋର ଇଚ୍ଛା ଭୟଙ୍କର ଅତି,
ସମ୍ଭାଳି ପାରିବ ଟିକି ଅୟି ମାଟି, ଅୟି ବସୁମତି ?
ସୃଜିବି ଯେ ଜୀବ-ଜଗତ୍ ତୁମ ବକ୍ଷପରେ
ବାସର ରଜନୀ ସଦା ଲୀଳା ଖେଳା ରଚିବେ ସାଦରେ ।
ନିଖିଳ ଏ ଚରଣର ଭାର,
ସହି ତ ପାରିବ ତୁମ ଅଙ୍ଗ କାଳ କାଳ ?
ସୃଷ୍ଟିର ମୋ ଶ୍ରେଷ୍ଠ କରି ସୃଜିବି ଯେ ନର
ଦୁର୍ଦ୍ଧର୍ଷ ଦୁର୍ଧର,
କୃଷି ପାଇଁ , କୃଷ୍ଟି ପାଇଁ ଉଦଗ୍ର ନିୟତ
କରିବେ ତୁମର ବକ୍ଷ ବିକ୍ଷତ, ବିହତ ।
ସେତେବେଳେ
ତିଳେ ହେଲେ
ବିଚଳିତ ହେବ ନାହିଁ ଜୀବନ ସଂଗ୍ରାମୁଁ ?
ଅଚଳା ମୁଁ, ସର୍ବଂସହା ମୁଁ ।
ଆଉଥରେ ଢାଳିଦେଇ ଅମିୟ-ଚାହାଣୀ
ଦେହମୟ ବୋଳିଦେଇ ସ୍ନେହମୟ ପାଣି
ପ୍ରକାଶିଲେ ବିମୁଗ୍ଧ ବଚନେ,
ବିଜୟିନୀ ଆଜି ତୁମେ ଏ ବିଶ୍ୱ ଭୁବନେ
ସୁନ୍ଦରୀ କଲ୍ୟାଣୀ,
ନମ୍ର ହୋଇ ହୋଇଚ ବିରାଟ ତୁମେ ଜଗତର ରାଣୀ ।
ଚକ୍ଷୁର ନିମେଷେ
ଏ କି ହେଲା ସାରା ସୃଷ୍ଟି ଦେଶେ ?
ଉନ୍ନତ ଗଗନପଟ ପ୍ରଣମିଲେ ପରମ ଆଦରେ
ଲଲାଟ ଲଗାଇ ତଳେ ତୁମ ପଦତଳେ ।
ସଙ୍ଗେ ସଙ୍ଗେ ପ୍ରତାପୀ ତପନ
ତୁମରି ଚରଣପ୍ରାନ୍ତେ ରଶ୍ମି-ତାପ କଲେ ବିକିରଣ ।
ଚାରୁ ଚନ୍ଦ୍ର ଚନ୍ଦ୍ରିକା-ଲେପନେ
ରଚିଲେ ଚନ୍ଦନ-ଚର୍ଚ୍ଚା ବିମଳିନ ତୁମ ଅପଘନେ ।
ଚାହୁଁ ଚାହୁଁ ପ୍ରମତ୍ତ ମୁଦିର
ଅଭିଷେକ ବଢ଼ାଇଲେ ଢାଳି ଧାରା-ନୀର ।
ପ୍ରଭଞ୍ଜନ
ସଲୀଳ ହିଲ୍ଲୋଳେ କଲେ ଚାମର ବ୍ୟଜନ ।
ସେବା-ଦାସ ପରି ସର୍ବେ ଚରଣେ ତୁମରି
ସେବିଲେ ପରମାନନ୍ଦେ ଦିବସ ଶର୍ବରୀ
ଉତ୍ତୋଳିଲେ ମୁଗ୍ଧ ଜୈତ୍ରବାଣୀ,
ଜୟ ମାଟି, ଜଗତର ରାଣୀ ।