STORYMIRROR

Amulya Kumar Nayak

Inspirational

3  

Amulya Kumar Nayak

Inspirational

ଧନ୍ଯ ମୁଁ ତୁମକୁ ପାଇ

ଧନ୍ଯ ମୁଁ ତୁମକୁ ପାଇ

1 min
203


ତମେ ମୋ ପୃଥିବୀ ମୁଁ ତୁମ ଆକାଶ

    ଶାଶ୍ବତ ଆମର ପ୍ରେମ

କେକଳି ପାରିବ ଆମ ମନତଳ

    ଦିଗ୍-ବଳୟ ଯା'ର ନାମ (୧)

ସକାଳରୁ ସଞ୍ଜ ଦିନ ଆଉ ରାତି

   ତମ ଛାତି ପରେ ଛାତି

ମିଶେଇ ଚାହିଁଛି କେଉଁ କାଳରୁ ମୁଁ

   କେବେ ହେଉନାହିଁ ଇତି (୨)

ସେ ପ୍ରେମ ପରିଧି କିଏ ବା ମାପିବ

    ନାହିଁ ଯା'ର କେନ୍ଦ୍ରବିନ୍ଦୁ

ଅକ୍ଷାଂଶ ଦ୍ରାଘିମା କୋଣ ଅନୁକୋଣେ

    ଲମ୍ବିଛି ସାଗର ସିନ୍ଧୁ (୩)

ବାସେ ବି ଫଗୁଣ ଭାସେ ବି ଶ୍ରାବଣ

    ନିଦାଘର ତାତି ସହି

ଚାଲୁଥିବା ଆମେ ନିରବେ ନିଶ୍ଚଳେ

    ସୃଷ୍ଟିର ଗୀତ ଗାଇ (୪)

ସୂର୍ଯ୍ଯ,ଚନ୍ଦ୍ର,ତାରା ମୋ ବକ୍ଷେ ବହିଛି

   ତୋ ବକ୍ଷରେ ନଦୀ ନାଳ

ଜାତି ଭେଦ ଭାବ ନାହିଁ ଆମଠାରେ

   ମୁଁ ଉପରେ ତମେ ତଳ (୫)

ବାରମାସେ ତେର ଯାତ ଲାଗିଅଛି

   ତିଥି ବାର ସ୍ଥିତି ନେଇ

ତମେ ଗୋ ମେଦିନୀ ତମେ ପ୍ରଭାସିନୀ

   ତୁଳନା ଯାହାର ନାହିଁ (୬)

ଲାଗେ ଯେବେ ନିଆଁ ତୋ ଛାତିରେ ଚିଆଁ

   ମୋ ଛାତିରେ ଖେଳେ ଧୂଆଁ

ସହିବାର ଗୁଣ ଦେଇଛୁ ଶାଖାଇ

   ସେ ପାଇଁ ହୋଇଛୁ ମାଆ (୭)

ସମୟର ଫାଶେ ବନ୍ଧା ଆମ ପ୍ରେମ

   ପ୍ରଶାନ୍ତିର ବାର୍ତ୍ତା ବହି

ତମେ ଗୋ ଧରିତ୍ରୀ ଜୀବ ଜନ୍ମଦାତ୍ରୀ

    ଧନ୍ଯ ମୁଁ ତୁମକୁ ପାଇ (୮)


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational