ଉଠ କାହ୍ନୁ
ଉଠ କାହ୍ନୁ
ବଜା ବଜାରେ ବଇଁଶୀ କାହ୍ନୁ
ଆଉ ଡେରି କାହିଁକି ,
ମଙ୍ଗଳ ଶୁଭ ନିନାଦ ଉଦଘୋଷୁ ସୁପ୍ରଭାତ
ନିଖିଳ ଜଡ଼ ପରାଣ ଉଠୁ ଜାଗି ପୁଲକି ।
ପୁକାରନ୍ତି ବିହଙ୍ଗମ
କଳକୂଜନରେ ପୂର୍ଣ୍ଣ
ପାହିଲାଣି ଅନ୍ଧକାର ରାତି,
ଗୋପପୁରେ ଧେନୁବତ୍ସା
ହମ୍ବାରଡ଼ିରେ ଉତ୍କଣ୍ଠା
ଶୁଭେ ଘଣ୍ଟ ମଙ୍ଗଳ ଆଳତି,
ଉଠ କାହ୍ନୁ, ନନ୍ଦବଳା ତେଜ ସୁପାତି ।
ବଜା ବଜାରେ-----
ମୃଦୁ ମଳୟ ସମୀର
ଯମୁନା ନୀଳ ତରଙ୍ଗ
ହୋଇଲେଣି ଅଥୟ ଅଧୀର,
ବୁଣିଲେଣି ପୂର୍ବାକାଶେ
ଉଦୟ ଅରୁଣ ରଙ୍ଗ
ପୁଷ୍ପ ରାଗ ମୂରୁଜ ଅବୀର,
ଉଠ ଶ୍ୟାମ, ଗୋପବାଳା ଛନ୍ତି ଚାହିଁ କି ।
ବଜା ବଜାରେ-----
--------