କଟର କେଁ
କଟର କେଁ
ଶ୍ରାବଣ ମାସରେ ଝିମି ଝିମି ବର୍ଷା
ଘୋଟିଛି ମେଘ ଅନ୍ଧାର
ସାରୁ ଗଛ ମୂଳେ ବେଙ୍ଗ ଓ ବେଙ୍ଗୁଲି
କରୁଛନ୍ତି କେଁ କଟର ।
ବେଙ୍ଗୁଲିକୁ ଚାହିଁ କହୁଅଛି ବେଙ୍ଗ
ସାରୁ ଗଛ ପତ୍ର ତଳେ
କେଡେ ଚମତ୍କାର ତୋଳିଛି ଦଇବ
ଛତା ଆମରି ମୁଣ୍ଡରେ ।
ଆମେ ସାହୁକାର ଜଳସ୍ଥଳ ବାସୀ
ଉଭୟଚର ପରାଣୀ
କୀଟ ଓ ପତଙ୍ଗ ପୂର୍ଣ୍ଣ ଏ ମେଦିନୀ
ଭରପୂର ପେଟପାଣି ।
ଝଡ଼ି ଓ ବରଷା ହୋଇଲେ ଅଧିକ
ପୂରେ ଗଡିଆ ପୋଖରୀ
କୋଳାହଳେ ଆମେ ଆନନ୍ଦ ମନରେ
ଦିଅନ୍ତି ସଂସାର ମେଲି ।
ତୁମେ ରଜା ହୁଅ ମୁଁ ହୁଏ ରାଣୀ
ଥାଟବାଟ ପାଟ ପ୍ରଜା
ଆମେ ରଡ଼ି ଦେଲେ କମ୍ପଇ ମେଦିନୀ
କୁହ କେଡେ ସତେ ମଜା ।
ଆମ ବାହାଘରେ ଘଡଘଡି ଶବ୍ଦେ
ବାଜଇ ବାଇଦ ବାଜା
ଜାଳଇ ବିଜୁଳି ଆଲୋକ ରୋଷଣୀ
ସବୁଜିମା ସାଜସଜ୍ଜା ।
କହେ ବେଙ୍ଗ ରଜା ଆହେ ଭାଗ୍ୟବାନ
ଆମ ଖେଳା କୁଦା ଡିଆଁ
ସବୁକିଛି ନୁହେଁ ଆମରି ଅଧୀନ
ବିଚିତ୍ର ଏଇ ଦୁନିଆଁ ।
କାଳସର୍ପ ପରି କୁଟିଳ ସମୟ
ଝପଟି ଆସଇ ମାଡ଼ି
ଗିଳିଦିଏ ଜୀବ ଜଗତ ପରାଣ
ପାରେ ନାହିଁ କିଏ ଏଡି ।
ପାଣିର ଫୋଟକା ପରାଏ ଜୀବନ
ଛାଇ ଆଲୁଅର ଖେଳ
ସୁଖ ଆଉ ଦୁଃଖ ମାନସିକ ସ୍ଥିତି
ବେଗ ଗତି ନୁହେଁ ସ୍ଥିର ।
ଆଜି ସାହୁକାର କାଲିକୁ ଫକୀର
କିଏ ବଡ଼ ଅବା ସାନ
ହଜିଗଲେ ପ୍ରାଣ ମୁଠାଏ ପାଉଁଶ
ପଞ୍ଚ ତତ୍ତ୍ୱେ ପ୍ରାଣୀ ଲୀନ ।
ବୃଥା ରାଜପଦ ଗର୍ବ ଅହଙ୍କାର
ନ ବାନ୍ଧୁ ଅଳିଆ ବସା
କୃପାର ସାଗର ପରମ ଈଶ୍ଵର
ପାଦପଦ୍ମ ସା ଭରସା ।
-----------------------