ବିଷମ ପଥ
ବିଷମ ପଥ
ପଥର ପଥିକ ପଥରେ ଚାଲଇ
ପଥ ହେଉ ଯେତେ ଦୂର ।
ସୁଷମ ହେଉ କି ବିଷମ ହେଉ ସେ
ନକରେ ମନେ ବିଚାର ।୧।
ବିଷମ ପଥରେ ଚାଲୁ ଚାଲୁ କେବେ
ମନରେ ହୁଏ ନିରାଶ ।
ବିଷମ ପଥରେ ଜାଣି ଶୁଣି ପାନ୍ଥ
ପାଦ ଥାପି ପାଏ ତ୍ରାସ ।୨ ।
ଆସୁ ଯେତେ ବାଧା ବିଷମ ପଥରେ
ନଥାଏ ତାର ଖାତର ।
ଲକ୍ଷ୍ୟ ସ୍ଥଳେ ତାର ପହଞ୍ଚିବ ନିଶ୍ଚେ
ସଦା ହୁଏ ଅଗ୍ରସର ।୩।
ବିଷମ ପଥ ଏ ସଂସାର ସାଗର
ବିଷମ ଜୀବନ ଯାତ୍ରା ।
ମହାଜନ ଯେଉଁ ପନ୍ଥାରେ ଚଳିଲେ
ଧରିବା ଆମେ ସେ ପନ୍ଥା। ୪।
ରାମ କୃଷ୍ଣ ଜନ୍ମି ସଂସାର ସାଗରେ
ବିଷମ ପଥେ ଚଳିଲେ ।
ପଥରେ ତାଙ୍କର ଥିଲା କି ସୁମନ
ବିଚାର କର ପହିଲେ ।୫।
ସ୍ବଧର୍ମରେ ରହି ବିଷମ ପଥର
ପଥିକ ପାଦ ଥାପିବ ।
ହରି ଗୁରୁ ପଦେ ରତି ରଖି ସଦା
ଆଗୁସାର ହେଉଥିବ ।୬।
ମନେ ରଖିଥିବ ଏ ବିଷମ ପଥ
ଅବଶ୍ଯ ହୋଇବ ପାର ।
ଦିନେ ନିଶ୍ଚେ ଯିବ ସ୍ୱଗୃହକୁ ତୁମେ
ଏକଥା ମନରେ ଧର ।୭।