ନୈବେଦ୍ୟ
ନୈବେଦ୍ୟ
ମୃତ୍ୟୁ ?
ହେ ସତ୍ୟ ପ୍ରତିମ ଶକ୍ତି
ହେ ଅତିଥି ଦେବ !
ଆସ ତୁମେ ଅନାହୁତେ
ଧରି ହସ୍ତେ ଯମ ରାଜ ଦଣ୍ଡ ,
ମାଡିଚାଲ ଅରଣା ମଇଁଷି ସମ
ରୋଗ ଦୁଃଖ ଦୁର୍ବିପାକ
ଅସରନ୍ତି ଯନ୍ତ୍ରଣା ରେ କରି ଛଟପଟ ,
ନିଃଶେଷ ଜୀବନ ଚକ୍ର
କାଳପାଶେ ଲୀନହୁଏ
ସ୍ୱଚ୍ଛନ୍ଦ ସବୁଜ ।
କାପୁରୁଷ ଭୀରୁ ନୁହେଁ ଯୋଦ୍ଧା
କପଟାଚାର ନୁହେଁ ତା ଲକ୍ଷଣ,
ଜୀବନ ସଂଗ୍ରାମ ଘୋର
ଲଢେ ବୀର ସମ୍ମୁଖରେ
ମରେ ଅବା
ମାରେ କରି ରଣ,
ବୀରତ୍ୱ ମହାନ କର୍ମ;
ସେଥିପାଇଁ ସମର୍ପିତ
ସଶ୍ରଦ୍ଧ ସୁମନ ।
ପୁଞ୍ଜିଭୂତ କୋହଲୁହ
କ୍ଷୀଣଦେହ,ଜଡପ
୍ରାଣ
ଭୟାତଙ୍କ ଜର୍ଜରିତ ଏ ମାନବ
କ'ଣ ଅବା ସମର୍ପିବ
ମୃତ୍ୟୁର ନୈବେଦ୍ୟ ?
ଭୀତତ୍ରସ୍ତ ଆତ୍ମବଳ କପଟ ପୁଞ୍ଜିରେ
ସୁଶୋଭିତ କୀରୀଟ ମର୍ଯ୍ୟାଦା
ପୁଣି କେତେ ସୁରକ୍ଷିତ ?
ସତ୍ୟ ଅଟେ ରାମ ନାମ;
ଜୀବନ ହିଁ ସତ୍ୟ,
ମହାସତୀ ଜୀବନ ସାବିତ୍ରୀ,
ସତ୍ୟବାନ ଜୀବନ ପ୍ରବାହ,
ସ୍ୱଚ୍ଛନ୍ଦ ସତ୍ୟ ଆଲୋକେ ହସିଖେଳି
ଜୀବନକୁ ଜୀଇବାକୁ ଦିଅ,
ରକ୍ଷାକର ନିଜ ପ୍ରତିଶ୍ରୁତି,
ପ୍ରଶାନ୍ତି ପୂର୍ଣ୍ଣତା ପଥେ
ଜୀବନର ହେଉ ଜୟଗାନ;
ଅତଏବ, ପୂର୍ଣ୍ଣଚ୍ଛେଦ,
ନୈବେଦ୍ୟ ଅର୍ପଣ ।
ସୁରକ୍ଷିତ ହେଉ ସୃଷ୍ଟି
ମଙ୍ଗଳ ବିଧାନ ।।
------------