ଆଗୋ କବିତା
ଆଗୋ କବିତା
କବିତା ବୁଣେ ଆଶା ଅସୁମାରୀ
କେବେ ଘୁରି ବୁଲେ ଦିଗହଜା ପକ୍ଷୀ ପରି
କବିତା ଛଳ ଛଳ ହେଇ ବହେ ଆଖି କୋଣୁ
ସାଗର ପ୍ରତୀକ୍ଷିତ ନଦୀ ଶୁଷ୍କ ଧାରଟିଏ ପରି
କବିତା ପୁଣି କେବେ କଳ୍ପନା ଉପତ୍ୟକାରେ
ସ୍ଵପ୍ନ ରାଇଜର ରାଜକୁମାରୀ
କବିତା କେବେ ପାଗଳ ଭ୍ରମରଟେ ସାଜି
କରେ ଲକ୍ଷେ ହୃଦୟକୁ ଚୋରି
କବିତା ଦୁଃଖ ସୁଖ ଭାବନାର ଇନ୍ଦ୍ରଧନୁ ସାଜି
ବରଷାଏ ଜହ୍ନ ଜୋଛନା ଲହରୀ
କବିତା କେବେ ବନିତାଟେ ସାଜି
ଅପେକ୍ଷା ଉପେକ୍ଷାକୁ ସାଥି କରେ
କବିତା ଗୋ ତୁମ ଶବ୍ଦ ଅଭ୍ୟର୍ଥନା
ମନ ଗହନରେ ପ୍ରେମ ସାଜି ଉଙ୍କି ମାରେ
କବିତା ଯେ ଗଢେ ସ୍ମୃତିର ମୀନାର
ସମାଜ ରେ ଚିରନ୍ତନ ସୃଷ୍ଟ ସମ୍ଭାର ।।
