ଉଠ ଉଠ ଧନମୋର
ଉଠ ଉଠ ଧନମୋର
ଉଠ ଉଠ ଧନ ମୋର ବାବୁ ନୀଳମଣି
କେତେ ନିଦ୍ରା ଯାଉ ବାପ ଗୌର ଗୁଣମଣି ।।
ନିଶି ଶେଷ ହେଲା ଶୁକ- ଶାରୀ ରାବିଲେଣି
କେତେ ସୁଖେ ନିଦ୍ରା ଯାଉ ଆରେ ଧନମଣି ।।
କର୍ଣ୍ଣେ ପଡେ କିନା କାକ କୋକିଳେର ଡାକ
ଉଠ ଉଠ ବାପଧନ ମୋ କଳା ମାଣିକ । ।
ସାଙ୍ଗ ସାଥି ତୋର ସବୁ ଡାକୁଛନ୍ତି ଦେଖ
ଉଠ ଉଠ ବାପ ମୋରରେ କଳା ଶ୍ରୀମୁଖ । ।
ସନ୍ଥ ଜନେ କହିଛନ୍ତି ପ୍ରାତଃଶଯ୍ୟା ତ୍ୟାଗ
ସ୍ନାନ ଶୌଚ କଲେ ବାବୁ ହୋଇବ ନିରୋଗ । ।
ଅଳସ ପଣକୁ ବାବୁ ଶୀଘ୍ର ପରିହର
ଆଳସ୍ୟପଣ ଲୋକଙ୍କୁ କରେ ଦୁରାଚାର । ।
ମନା ମାନ ଶ୍ୟାମଘନରେ ମନମୋହନ
ସଅଳ ଉଠିଲେ ଯିବୁ ଗୋଗଷ୍ଠକୁ ଜାଣ । ।
ଖାଇବାକୁ ଦେବି ବାବୁ ନାନାଦି ବ୍ୟଞ୍ଜନ
ମନ ଇଚ୍ଛା ଖାଇବୁରେ ହେ ମଧୁସୂଦନ ।।
ସର,ଲବଣୀ, ଗୋଟିକା ଅଧାମ ଚକୁଳି
ସାଇତି ରଖିଛି ତୋରି ପାଇଁ ବନମାଳୀ ।
ଶୁଣି ମାତାଙ୍କର ଅଳି ପ୍ରଭୁ ଗିରିଧାରୀ
ଶଯ୍ୟାତ୍ୟାଗ କଲେ ପ୍ରଭୁ ଭୁବନ ବିହାରୀ । ।
ଶଯ୍ୟାତ୍ୟାଗ କରି ପ୍ରଭୁ ଗଲେ ସଙ୍ଗମେଳେ
ଅଧମକୁ ନ ଚାହିଁଣ ପ୍ରଭୂ ଚାଲିଗଲେ । ।
