ଓହରି ଯିବାର ଦୁଇଟି ପର୍ବ
ଓହରି ଯିବାର ଦୁଇଟି ପର୍ବ


ଆବୃତ ହେଉ ବା ଅନାବୃତ
କ୍ଷଣସ୍ଥାୟୀ ଅବା ଚିରସ୍ଥାୟୀ
ଅମୃତମୟ ହେଉ ଅଥବା ହଳାହଳ ବିଷଭରା
ସେଦିନ
ଆପଣ ଯେଉଁ ଡାଳଭାଙ୍ଗି ମୁକ୍ତାକାଶକୁ ଫିଙ୍ଗିଦେଲେ
ହେଇପାରେ ଆଶୀର୍ବାଦ ପ୍ରୀତିବାରି
ମାଟିଦେହ ପାଇଁ
କିନ୍ତୁ ଭାଙ୍ଗିବାର ଯନ୍ତ୍ରଣା ଟିକକ
ଅନୁଭବୁ ଥିଲି ମୁଁ..!!
ହୃଦୟ କଳାପଟାରୁ ଅନୁରାଗ ପୋଛି
ସବୁତକ ସ୍ନେହ ଆଶ୍ଳେସ
ଚଷମା ପରଦାରେ ଢାଙ୍କି
ଯେଉଁ ଅଜ୍ଞାତ ଛଳରେ ଅଧ୍ୟାୟ ଲେଖୁଥିଲେ
ପଢିସାରିଥିଲି ମୁଁ
ଚଉତିଷାରେ ବିସ୍ତୃତ ସେ ମନ୍ତ୍ରୀତ ପୂଣ୍ୟ ଶ୍ଳୋକ ;
ପାଣି ଭଳି ଛଳ ଛଳ ଟୋପାଏ ପ୍ରେମରେ
ଆପଣଙ୍କ ଦି' ଟୋପା ଲୁହରେ..!!
ମୁଁ ଜାଣେ
ଯେଉଁ ଓଠର ପ୍ରତ୍ୟେକଟି ଶବ୍ଦ ଦିଗବାରେଣୀ
ଯେଉଁ ହାତର ପ୍ରତ୍ୟେକଟି ଇସାରା
ଉଜ୍ଜଳମୟ ଦୃଶ୍ୟମାନ ଧୃବତାରା
ସେ ଓଠ କଣ ପିନ୍ଧିପାରେ କେବେ ମିଥ୍ୟାର ପ୍ରଲେପ..!?
ତଥାପି
ଆଲୋକିତ ସୁଖଛାଇ ତଳେ ହିଁ ତ ଦୁଃଖ ମହାଦୃମ
ବେଦନାର ରୁଦ୍ଧ କାଚକାନ୍ଥ..!!
ଅ
ଦୃଶ୍ୟ ପରଦା ସେପାଖେ ଆପଣ ଏପାଖେ ମୁଁ
ଅବର୍ଣ୍ଣନୀୟ ସମ୍ପର୍କଟେ ଆମ
ଅଣନିଶ୍ବାସୀ ଜୀବନ ମଝି ଦରିଆରେ..!!
ମୋ ପାଇଁ
ଶୂନ୍ୟ ହୋଇ ପୂର୍ଣ୍ଣ ଅନୁଦାନ ଦାବିରେ ରଚିପାରନ୍ତି ଭିନ୍ନ ଚକ୍ରବ୍ୟୁହ
ହସି ହସି ଆଲଙ୍ଗିପାରନ୍ତି କଣ୍ଟକିତ ଶରଶଯ୍ୟା
ମଣିଷରୁ ପାଲଟିଯାଆନ୍ତି ଗୁରୁ ଦ୍ରୋଣାଚାର୍ଯ୍ୟ..!!
ଆଜି କିନ୍ତୁ ମାଟି ଫାଟି ଟାଙ୍ଗରା ଆଁ
ପୂର୍ଣ୍ଣତା ଚିରହରିତ ଭିତରେ
ଶୂନ୍ୟତାର ବୟସ୍କ ଫୁଲଟେ ଛିଣ୍ଡିଗଲା ପରେ
ଶୂନ୍ ଶାନ୍ ପୃଥିବୀ ହୃଦୟ ଭିତର ବାହାର..!!
ହୋଇପାରେ କାଲି
ସମ୍ପର୍କର ଗହଳି ଭିତରେ ନିଜକୁ ହଜେଇ ଦେବାର
ମିଥ୍ୟା ଅଭିଳାଷା ରଖିପାରେ
ହେଲେ
ଏକାନ୍ତରେ ଚତୁଃପାର୍ଶ୍ବେ
ସମ୍ପର୍କର ମଧୂ ଗୁଞ୍ଜରଣ ନିତି ଶୁଭୁଥିବ
ଗୁରୁ-ଶିଷ୍ୟ କାହାଣୀ ଅତୀତ କଦମ୍ବ ବନେ
ଭବିଷ୍ୟତ ସୁମଧୁର ବଂଶୀ ତୋଳୁଥିବ ;
ଜାଣେ
ଅବସର ବୋଲି ଜୀବନେ କିଛି ହେଲେ ନାହିଁ
ଓହରି ଯିବାତ ବାହାନା ମାତ୍ର ;
ଗୋଟିଏ ପାହାଚେ ଆପଣ ତ ଆନ ପାହାଚରେ ମୁଁ ..!!