ଓଡ଼ିଶାର ବିପ୍ଳବୀ ବିର୍ସା ମୁଣ୍ଡା
ଓଡ଼ିଶାର ବିପ୍ଳବୀ ବିର୍ସା ମୁଣ୍ଡା
ଆଜି ବେଦଖଲ କରା ହୁଏ ଆଦିବାସୀଙ୍କୁ ଜଂଗଲ,
ଜମି, ଜଳ, ପ୍ରାକୃତିକ ସଂପଦରୁ
ଆଦାନୀ ଅମ୍ବାନୀ ଟାଟା ମିତଲଙ୍କୁ ଜମି ଦେବାକୁ
ଆଦିବାସୀ ବେଦଖଲ ହୁଅନ୍ତି ଜଂଗଲରୁ ।
ପୁଂଜିପତି ଶାସନରେ ଆଦିବାସୀ ଗାଁ ଗୁଡ଼ିକରେ ଏହି
ଅତ୍ୟାଚାର ହୁଏ ଗ୍ରୀନ ହଣ୍ଟ ନାମରେ
ଗୋତି ଓ ବେଠି ହେଉଥିଲା ଗୋରା ଶାସକ ଦ୍ୱାରା
ସେବକ ପଟ୍ଟା ଲେଖାଇ ନେଇରେ ।
ମନେପଡେ ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି
ଦେଇଥିବା ପୁଣ୍ୟାତ୍ମାଙ୍କ ଭିତରେ
ଓଡ଼ିଶାର ବିର୍ସା ମୁଣ୍ଡାଙ୍କ ନାମ ଦେଶରେ ଆସେ
ଅନ୍ୟତମ ଶହୀଦ ହିସାବରେ ।
ଇତିହାସ ପୃଷ୍ଠାରେ ଦେଖିବା ୧୮୭୪ ଅବା ୧୮୭୫
ମସିହା ନଭେମ୍ବର ମାସ ୧୫ ତାରିଖରେ
ବିର୍ସା ମୁଣ୍ଡା ଜନମିଲେ ଆଜିର ଝାଡ଼ଖଣ୍ଡର ରାଞ୍ଚି
ଜିଲ୍ଲା, ଖୁଣ୍ଟି ସବ୍-ଡିଭିଜନ୍, "ବାମ୍ବା" ଗ୍ରାମରେ ।
ତାଙ୍କର ପିତାଙ୍କ ନାମ ଥିଲା ସୁଗନା ମୁଣ୍ଡା ଓ
ମାତାଙ୍କ ନାମ ଥିଲା କରମୀ ମୁଣ୍ଡା
ସାଲଗା, ବୁରୁଜ ପ୍ରାଇମେରୀ ସ୍କୁଲ ଓ ଚାଇଁବସା ମିଶନ
ସ୍କୁଲରେ ଶିକ୍ଷା ନେଇଥିଲେ ବିର୍ସା ମୁଣ୍ଡା ।
ବିର୍ସା ୨୫ ବର୍ଷ ବୟସରେ ବଡ଼ ଧରଣର ବିପ୍ଲବ କରିଲେ
ଊନବିଂଶ ଶତାବ୍ଦୀରେ ଫିରିଙ୍ଗି ବିରୋଧରେ
ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକଙ୍କୁ ଲଢ଼ିବାକୁ
ସଂଗଠିତ କରିଥିଲେ ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳରେ ।
ବଣେଇ, ଗୁରୁଣ୍ଡିଆ, କଳିପଶ ଗ୍ରାମର କୋହ୍ଲ, ଖତିଆର,
ମୁଣ୍ଡା ଓ କିଷାନ୍ ଆଦିବାସୀମାନଙ୍କୁ
ସେବକପଟ୍ଟା ନଲେଖିବା, ଖଜଣା ନଦେବା ଓ ବନ୍ଧୁକକୁ
ଡରି ଧର୍ମତ୍ୟାଗ ନକରିବାକୁ ଚେତେଇଲେ ସେମାନଙ୍କୁ ।
ଆଗଭର ହେବାର ଦେଖି ଏକତ୍ରିତ ହୋଇ ଇଂରେଜ
ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବା ପାଇଁ
ବଦେଶୀ ଶାସକ ଡରି, ବିର୍ସା ଓ ତାଙ୍କର ୧୫ ଜଣ
ସାଥିଙ୍କୁ ଗିରଫ କରିଲେ ବିପ୍ଳବକୁ ଦବାଇବା ପାଇଁ ।
ଦେଶଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରାଦଣ୍ଡରେ
ରାଞ୍ଚି ଜେଲ୍କୁ ପଠାଇ ଦିଆଗଲା
ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନରେ ବିର୍ସା
ଓ ତାଙ୍କ ସହକର୍ମୀମାନଙ୍କୁ ମଧ୍ୟ ମୁକ୍ତି ଦିଆଗଲା ।
ନଡରିଲେ ବିର୍ସା, ଶପଥ ନେଲେ ଶହଶହ ଯୁବକ ସହ
ବିଦେଶୀ କବଳରୁ ମୁକ୍ତ କରିବାକୁ ନିଜ ମାତୃଭୂମିକୁ
୧୮୯୯, ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ତୀର
ଓ ବର୍ଚ୍ଛା ଧରି ନିଆଁ ଲଗାଇଲେ ଗୋରାଙ୍କର
ବାସଭବନ ଓ ଅଫିସ୍ କୁ ।
ରାଞ୍ଚି ବିଚାରାଳୟ ଆକ୍ରମଣ କରୁଥିବା ସମୟରେ
ସେମାନଙ୍କ ଭିତରୁ ୧୨ଜଣ ଶହୀଦ ହୋଇଥିଲେ
ବ୍ରିଟିଶ୍ ସରକାର ବିର୍ସାଙ୍କୁ ଧରାଇଲେ ପାଞ୍ଚଶହ ଟଙ୍କା
ପୁରସ୍କାର ମିଳିବ, ଘୋଷଣା କରିଥିଲେ ।
କନେଷ୍ଟବଳ ବୁଡୁରାମ ଓ ଜୟରାମଙ୍କୁ ଏଟିକେଡ଼ି ଗ୍ରାମକୁ
ପଠାଗଲା ବିର୍ସାଙ୍କର ସନ୍ଧାନ ନେବାପାଇଁ
ସହକର୍ମୀ ଗୟା ମୁଣ୍ଡା ଗ୍ରାମବାସୀଙ୍କ ସହାୟତାରେ ୧୯୦୦,
ଜାନୁଆରୀ ୧୫ ତାରିଖରେ କନେଷ୍ଟବଳଦ୍ୱୟଙ୍କ
ମୁଣ୍ଡକୁ ଦେଲେ ଗଡାଇ ।
ମିଃ ଷ୍ଟ୍ରିଟ୍ ଫିଲ୍ଡ ସଶସ୍ତ୍ର ପୋଲିସ୍ ବାହିନୀ ଦମନଲୀଳା
କଲା ଏହାର ପ୍ରତିଶୋଧ ନେବାକୁ
ଭୀଷଣ ଅସ୍ତ୍ରାଘାତରେ ଗୟା ମୃତ୍ୟୁ ବରଣ କରିଥିଲେ
ଗିରଫ କରିବା ସମୟରେ ଗୟା ମୁଣ୍ଡାଙ୍କୁ ।
ଏହା ପରେ ଗ୍ରାମବାସୀମାନେ ଦମନ ଲୀଳାର ମୁଖ୍ୟ
କେନ୍ଦ୍ର ଖୁଣ୍ଟିଥାନାକୁ ନିଆଁ ଲଗାଇଲେ,
କନେଷ୍ଟବଳ ରଘୁରାମକୁ ହତ୍ୟାକରି ଓ ଅନ୍ୟ ପୁଲିସ୍
ମାନଙ୍କୁ ଥାନା ଛାଡ଼ି ଚାଲିଯିବାକୁ ଧମକ ଦେଲେ ।
୩୦୦ ଫୁଟ ଉଚ୍ଚା ଡୋମ୍ବରି ପାହାଡ଼ରେ ବିର୍ସା ସଂଗ୍ରାମୀ
ମାନଙ୍କୁ ଉଦ୍ବୋଧନ ଦେଉଥିଲେ
ପ୍ରତ୍ୟୁତ୍ତରରେ ଇଂରେଜମାନଙ୍କ ପୋଲିସ ତାକୁ ଘେରି ଆତ୍ମ
ସମର୍ପଣ କରିବାପାଇଁ ଘୋଷଣା କଲେ ।
ବିଦ୍ରୋହୀମାନେ ଏଥିରେ ରାଜି ନହେବାରୁ ଇଂରେଜ
ମାନଙ୍କ ପୋଲିସ ଆକ୍ରମଣ କରିଦେଲେ
ବିର୍ସା ପାହାଡ଼ ଉପରୁ ଧନୁତୀର, ବର୍ଚ୍ଛା ଓ ପଥରଦ୍ୱାରା
ଇଂରେଜମାନଙ୍କ ଉପରେ ପ୍ରତୁ ଆକ୍ରମଣ କଲେ ।
ଇଂରେଜମାନଙ୍କ ତରଫରୁ ଗୁଳିଗୋଳା ମାଡ଼ରେ ନରସିଂହ
ମୁଣ୍ଡାଙ୍କ ସମେତ ଦୁଇଶହ ବିଦ୍ରୋହୀ ଶହୀଦ୍ ହେଲେ
ବିର୍ସା ଅଳ୍ପକେ ବଞ୍ଚିଯାଇ ଆତ୍ମ ଗୋପନ ପାଇଁ ଚକ୍ରଧରପୁର
ଜଙ୍ଗଲକୁ ଚାଲିଗଲେ ।
ସରକାର ବିର୍ସାଙ୍କ ସନ୍ଧାନ ନ ପାଇବାରୁ ମୁଣ୍ଡାମାନଙ୍କ
ଉପରେ ଅମାନୁଷିକ ଅତ୍ୟାଚାର କଲେ
ସେମାନଙ୍କ ଘରେ ନିଆଁ ଲଗାଇଲେ ଓ ରକ୍ଷା କରିବାପାଇଁ
ଡେନକା ଓ ମାଝିଆ ଆତ୍ମସମର୍ପଣ କଲେ ।
ବିପ୍ଳବୀ ୨୫ ବରଷ ଯୁବକ ବିର୍ସାଙ୍କ ମନରେ ସ୍ୱାଧୀନତାର
ଆଶା କେବେ ବି ମଉଳି ନଥିଲା
ସଂଗ୍ରାମକୁ ନୂଆ ରୂପ ଦେବା ପାଇଁ ସେ ଓଡ଼ିଶାକୁ ଛାଡ଼ି
ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲା ।
ସମାଜରେ ବିଶ୍ୱାସଘାତକ ଥାଆନ୍ତି ଓ ଶଶୀଭୂଷଣ ରାୟ
ଓ ମାଝିତା ମାରିଆ ୫୦୦ ଟଙ୍କା ଲୋଭରେ
ଇଂରେଜ ସରକାରକୁ ଜଣାଇ ଦେଲେ ଯେ ଲୁଚି ରହିଛି
ବିର୍ସା ସେନ୍ତେରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ।
ବିର୍ସାକୁ ଗିରଫକରି ରାଞ୍ଚି ଜେଲ୍କୁ ନିଆଗଲା ୧୯୦୦
ମସିହା ମାର୍ଚ୍ଚ ୩ ତାରିଖରେ
ଏହାକୁ ଦେଖି ଶହ ଶହ ଗ୍ରାମବାସୀ ତାଙ୍କ ସହ ଜେଲ୍
ଯିବାକୁ ବାହାରି ପଡ଼ିଲେ ।
ସୁରକ୍ଷା କାରଣରୁ ବିର୍ସାଙ୍କୁ ହଜାରିବାଗ ଜେଲ୍କୁ
ସ୍ଥାନାନ୍ତରିତ କରାଗଲା
ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁ ନଥିବା କାରଣରୁ ତାଙ୍କୁ ପୁଣି
ରାଞ୍ଚି ଜେଲ୍କୁ ଅଣାଗଲା ।
ଜେଲ ଭିତରେ ଅନେକ ପ୍ରକାରର ନିର୍ଯ୍ୟାତନା ଦେଇ
ତାଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ
ପଚିଶ ବର୍ଷ ବୟସ୍କ ବିର୍ସା ରାଞ୍ଚି ଜେଲ୍ରେ ୧୯୦୦, ଜୁନ୍
୯ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।