ଓଡ଼ିଶା ପୀଠ
ଓଡ଼ିଶା ପୀଠ
ଶୁଣିଛକି କେହି ଝରୁଥିବ ଯହିଁ
ଓଡ଼ିଶା ମାଟିର ସ୍ୱର୍ଗୀୟ ଚିହ୍ନ ,
ଜାତି ଭାଇ ପାଇଁ ଜୀବନକୁ ଦେଇ
ଧରମା ପରି'କେ ନେଇଛି ଜନ୍ମ ।
ଦେଖିଛକି କେହି ଆନ ଜାଗା କାହିଁ
ଠାକୁର ଓହ୍ଲେଇ ଆସନ୍ତି ରଥେ ,
ଭକତଙ୍କ ପାଇଁ ଦରଶନ ଦେଇ
ଜାତି ଭେଦଭାବ ଘୁଞ୍ଚାଇ ପଥେ ।
ବୁଝିଛକି କେହି ଗୁଣରେ ମୋହଇ
ଦେଶ ବିଦେଶରେ ନାମ କରଇ ,
ତାରକସୀ ଶିଳ୍ପ ଉତ୍ପାଦନ ଅଳ୍ପ
ତଥାପି ଆଦୃତ ବିଶ୍ୱରେ ଭାଇ ।
ସମ୍ବଲପୁର'ର ଅନୁପମ ରୂପ
ବସ୍ତ୍ରଶିଳ୍ପ ଯୋଗୁଁ ପ୍ରସିଦ୍ଧି କେତେ ,
ବିଶ୍ୱେ ଉଦ୍ଭାସିତ ରାଜ୍ୟ ନାମ ଖ୍ୟାତ
ଶିରେ ଘେନିବାକୁ ପଣତ ହାତେ ।
ମହୋଦଧି ଧୌତ ଧାମ ସେ ଅମୃତ
ଦାରୁ ବ୍ରହ୍ମ ରୂପେ ପୂଜେ ଜଗତ ,
ପୁଣ୍ୟ ଭୂମି ଆମ ଦେବ ଭୂମି ଆମ
ସୁନ୍ଦରତା ପାଇଁ ନିଜେ ଗର୍ବିତ ।
ସ୍ମରଣିକାର ଏ ପ୍ରତି ଅଧ୍ୟାୟରେ
ଅଚିରେ ଅମ୍ଳାନ ସମୃଦ୍ଧ ପାଠ ,
ଅତୀତ ଗୌରବ ଉତ୍କଳ ସୌରଭ
ଦୀପ୍ତ ଭାସ୍କର୍ଯ୍ୟରେ ଓଡ଼ିଶା ପୀଠ ।
