ଓଡିଆ ସାହିତ୍ୟ କଥା
ଓଡିଆ ସାହିତ୍ୟ କଥା
ବାପରେ ଶୁଣ ତୁ କହୁଛି ବୁଝାଇ
ଓଡିଆ ସାହିତ୍ୟ କଥା,
ତୋ ପୂର୍ବପୁରୁଷ ଲେଖି ଯାଇଛନ୍ତି
ଓଡିଆରେ ଯେଉଁ ଗାଥା ।
ମାଟି ମହାକବି ସାରଳା ଦାସ ଯେ
ତୋର ପଣିଜେଜେ ହେବେ,
ତାଙ୍କ ହାତଲେଖା ମହାଭାରତକୁ
ଭୁଲିବୁ ନାହିଁ ତୁ କେବେ ।
ମାର୍କଣ୍ଡ ଦାସଙ୍କ କେଶବ କୋଇଲି
ବତ୍ସାଦାସ ଚଉତିଶା,
ପଢିଲେ ଜାଣିବୁ ଗଣ୍ଠିଧନ ମୋର
ଜୀବନର ଅଭିଳାଷା ।
ଜଗନ୍ନାଥ ଦାସ ଭାଗବତ ଆଉ
ବଳରାମ ରାମାୟଣ,
ସରସେ ବୁଝାନ୍ତି ସର୍ବସୁଖ ମିଳେ
ମନକୁ କରିଲେ ଟାଣ ।
ଅଚ୍ୟୁତାନନ୍ଦଙ୍କ ମାଳିକା ଶୁଣାଏ
କଳିଯୁଗ ପରିଣାମ,
ଯଶୋବନ୍ତ ଟୀକା ଗୋବିନ୍ଦଚନ୍ଦର
ଭଜୁକିନା ରାମନାମ ।
ଅନନ୍ତ ଦାସଙ୍କ କୃତିମଧ୍ୟେ ସାର
ହେତୁମୟ ଭାଗବତ,
ଜୀବନ ଦର୍ଶନ ପରମାତ୍ମା ଜ୍ଞାନ
ସୁଲଳିତେ ବିରଚିତ ।
ଉପେନ୍ଦ୍ର ଭଞ୍ଜଙ୍କ ବ' ବର୍ଣ୍ଣେ ରଚିତ
ବୈଦେହୀଶ ବିଳାସ ଯେ
ରାମାୟଣ କଥା ପଢି ପଢି ନିତି
ମନରେ ତାହାଙ୍କୁ ହେଜେ ।
ବଳଦେବଙ୍କର ଚନ୍ଦ୍ରାନନ୍ଦ ଚମ୍ପୂ
ଅଭିମନ୍ୟୁ ଚିନ୍ତାମଣି,
ରୀତିଯୁଗକବି କାବ୍ୟକବିତାର
ସଂଖ୍ୟା ପାରିବୁନି ଗଣି।
ରାଧାନାଥଙ୍କର ନନ୍ଦିକେଶ୍ବରୀ ବା
ଚିଲିକା କି ଚନ୍ଦ୍ରଭାଗା,
ବିରହ ବେଦନା ପ୍ରକୃତି ବର୍ଣ୍ଣନା
ପ୍ରତି କାବ୍ୟେ ତାଙ୍କ ଉଭା ।
ସତ୍ୟବାଦୀ ପରା ଦେଶାତ୍ମବୋଧକ
କବିତା ଲେଖାର ଯୁଗ,
ଗୋପବନ୍ଧୁ ଦାସ ହରିହର ଆଉ
ଗୋଦାବରୀଶ ଯେ ଆଗ ।
ଦେଶବାସୀ ପାଇଁ କାମ କରି ସଦା
ରଖିବୁ ଦେଶର ମାନ
ଲୋଡା ହେଲେ ତୁହି ମାଟି ମାଆ ପାଇଁ
ଦେବୁ ଆତ୍ମ ବଳୀଦାନ ।
ଫକୀର ମୋହନ ମାମୁଁ ଲଛମା ବା
ସମାଜ ସଂସ୍କାର ପାଠ
ଗୋପୀନାଥଙ୍କର ମାଟିମଟାଳ ଯେ
ପାଇଥିଲା ଜ୍ଞାନପୀଠ ।
ଅଛି ତ ଅନେକ ଏଇତ ଝଲକ
କହଲି ବଖାଣି ସୁନା,
ଓଡିଆ ଭାଷାକୁ ଭଲ ପାଇବୁ ତୁ
କରିବୁନି କେବେ ମନା ।
ଓଡିଆ ବୋଲି ତୁ ଗରବ କରିବୁ
ଚାଲିବୁ ଟେକି ତୋ ମଥା
ଭାଷା ସାହିତ୍ୟକୁ ଭଲ ତୁ ପାଇଲେ
ହୋଇବୁ ଜଗତଜିତା।