ଓଦା ଓଦା ଆଖି ଓ ନିଦା ନିଦା ସ୍ଵପ୍ନ
ଓଦା ଓଦା ଆଖି ଓ ନିଦା ନିଦା ସ୍ଵପ୍ନ
ଓଦା ଓଦା ଆଖିରେ କିଛି ନିଦା ନିଦା ସ୍ଵପ୍ନ,
କିଛି ଫିକା ଫିକା ଅନୁଭୂତି,
ଅନୁଭୂତିରେ ରଙ୍ଗ ମାଖି ସାକାର କରିବାର
ତୂଳିଟା ବୋଧ ହୁଏ କେଉଁଠି ଥୋଇ ଦେଇଛି ।
ରେଶମ କପଡ଼ାର ମଖମଲି ଶେଯରେ ଘୁମେଇ ପଡିଛି ସେ ।
ଅଥଚ, କାନଭାସଟା ପାଉ ନାହିଁ !
ରଙ୍ଗଡବାଗୁଡାକ ବି ଧରା ଦେଉ ନାହାନ୍ତି ଆଉ,
ରଙ୍ଗ ଛାଡି ଆସିଲାଣି ଜୀବନରୁ,
ମଳିନ ପଡିଗଲାଣି ସ୍ମୃତି ।
କେଜାଣି ! ନୀଳବର୍ଣ୍ଣ ଶୃଗାଳ ପରି
ନ ହେଇ ଥିବ ସେ ନିଦା ନିଦା ସ୍ଵପ୍ନ ସବୁ !
ସ୍ଵପ୍ନଗୁଡିକ ଜୀବନ ବୃକ୍ଷରେ ଓହଳୁ ଅଛନ୍ତି ଯା'
ଓଲଟ ବୃକ୍ଷରେ ଲୋଟଣି ପାରା ପରି,
ଗଛ କେବେ ଉପୁଡି ପଡିବ ଓ
ତା' ସହ ପାରା ବି ଉଡିଯିବ ।
ଚୁଲି-ନିଆଁର ଏ ଡହଡହ ସଂସାରରେ
ବେଳେ ବେଳେ ରଙ୍ଗ ମଖା ସ୍ଵପ୍ନର ଆହ୍ଵାନ ବି
ଭାରିପଡୁଛି ଲୋ-ରେବ, ଲୋ-ନିଆଁ, ଲୋ-ଚୂଲିର ଡାକରୁ ।
ରେବ ତ ନାହିଁ, ଚରୈବତିର ଦ୍ଵାହିରେ ଯାହା ଜୀବନଟା ଚାଲିଛି ଆଜି ।