ନୟନ ବାରି
ନୟନ ବାରି
ଝରଝର ହୋଇ ଝରି ଯିବାପାଇଁ
ହୋଇନାହିଁ ତୋର ଜନମ
ମୋ ପାଇଁ ତୁହି ଅମୂଲ୍ୟ ରତନ
ଭିଜେଇବା ତୋର କରମ l
କେବେ ଭିଜୁଥାଏ ନୟନ ଯୁଗଳ
ଭିଜୁଥାଏ କେବେ ପଣତ
ପୁଣି ବତୁରାଏ ମନକୁ ମୋର
ହଜିଯାଏ ଓଠ ତଳେ ତ l
ଜୀବନ ଚକ୍ରର ବନ୍ଧୁର ପଥରେ
ହୋଇଛି କେତେ କ୍ଷତାକ୍ତ l
ତଥାପି ସାଇତା ମନ ସିନ୍ଧୁକରେ
କରିନାହିଁ ତତେ ମୁକ୍ତ l
ମର୍ଯ୍ୟାଦା ତୋର ସ୍ୱାଭିମାନ ମୋର
କାତରେ ନ ଯାଅ ବହି l
ମରମେ ସାଇତା ଗୋପନ ବାରତା
ତୋ ଆଗେ ଦେବି କହି l
ଅନାୟାସେ ତୁହି ବହିଗଲେ ଥରେ
ମନକୁ ମୋହର ବାଧେ l
ନୟନ ବାରି ସେ ଅତି ଆପଣାର
ବନ୍ଧୁଟିଏ ବନ୍ଧୁ ମଧ୍ୟେ l
କୁସୁମ ସଦୃଶ ଝରୁଥାଅ ସଦା
ମନ ଦେବତାଙ୍କ ପାସେ
ପୟର ଯୁଗଳ ଧୌତ କରୁଥାଉ
ତୋହରି କୋମଳ ପରସେ l
ସ୍ୱଚ୍ଛ ନିର୍ମଳ ଜଳ ବିନ୍ଦୁ
ବହେ ବେଦନା ସିନ୍ଧୁ l
ନୟନ କୋଣରୁ ଝରି ଆସୁଥିବା
ମନର ଦରଦୀ ବନ୍ଧୁ l
