ନୂତନ ପ୍ରଣୟ
ନୂତନ ପ୍ରଣୟ
ରୋମାଣ୍ଟିକ କବି ମାୟାଧର ମାନସିଂହ
ଜାଣିନି କି ତେଜିଛି କି କରୁଣ ଲୋତକ,
କେତେ ବନ୍ଧୁ,ସଖା-ସଖୀ, ପରିଜନ ପାଇଁ ?
ନିଃସଙ୍ଗ ଜୀବନ,ମଣେ ଏକାନ୍ତ ଅରକ୍ଷ,
କେହି ହେଲେ ଜଣକର ପ୍ରଣୟ ନ ପାଇ ।
ଯାଇଛନ୍ତି ସେ ସମୟ,ସେ ବନ୍ଧୁ ବାନ୍ଧବୀ ;
ପ୍ରଣୟର ଅର୍ଥ ଆଜି ଭିନ୍ନ ମୋ ନୟନେ,
ଭିନ୍ନ ଯଜ୍ଞ ନିୟୋଜିତ ଆଜି ଅଶ୍ରୁ-ହବି,
ଜନ୍ମାନ୍ତର ଦେଲ ଯେହ୍ନେ ଏକଇ ଜୀବନେ ।
ଆଜି ଦେହ ଖୋଜେ ଏକ ଦୁର୍ଲଭ ବି-ଦେହୀ,
ଚିତ୍ତ ଖୋଜେ ଏକ ତେଜି,ବିରାଟ ନିଖିଳେ,
ଖୋଜେ ମୁଁ ଅରୂପେ ରୂପ-କ୍ଳାନ୍ତ ନେତ୍ର ଦେଇ
ସ୍ନାତ ହୋଇଉଠେ ଗଣ୍ଡ ଅନାସକ୍ତ ନୀରେ ।
ତୁମ ଲାଗି ବିରହୀ ମୁଁ ଦୁର୍ଲଭ-ବଲ୍ଲଭ,
ତୁମ ଲାଗି ବିରହାଶ୍ରୁ ଆଜି ଅଭିନବ ।
ସମାପ୍ତ