ନୂଆବୋହୂ
ନୂଆବୋହୂ
ପହିଲି ଫଗୁଣ ସାଥେ କୋଇଲି କୁହୁ
ମୃଦୁ ମଳୟେ ଭାସି ଆସେ ବଉଳ ବାସ୍ନାର ଚିଟାଉ ।
ପାନ ପତ୍ରେ କିଏ ସିଏ ଲେଖି ଚାଲିଗଲା
ମଙ୍ଗଳ ଗୀତି ଗାନକୁ କଣ୍ଠେ ଉଚ୍ଚାରଣ କଲା ।
ବସନ୍ତ ଖବର ଦେଲା ଆସିବ ନୂଆବୋହୂ
ଚାହାଣି ରୁ ଝରି ପଡେ ତାର ମଧୁର ମହୁ ।
ରଙ୍ଗ ତାର ଇନ୍ଦ୍ରଧନୁ ସାତରଙ୍ଗ ଭଳି ନିର୍ମଳ ପ୍ରାଣ
କେମିତି ଚଳିବ ପରଘରେ ସିଏ ନେଇ ନୂଆ ମନ ।
ଅଳତା ସିନ୍ଦୂର ପିନ୍ଧିଲେ ଦିଶେ ଦେବୀ ସ୍ୱରୂପ
ରୂପରେ ମୋହି ନେଇଯାଏ ତିନି ପୂର ଲୋକ ।
ଶେଯ ଛାଡ଼ି ଉଠେ ପୂରୁବରେ ଗଲେ ସିନ୍ଦୂରା ଫାଟି
ଭଲ କରି ଘର ଦ୍ଵାର ପୋଛି ଦିଏ ଗୋବର ପାଣି ଛାଟି ।
ରୋଷେଇ କରେ ଯେବେ ସରଧାରେ ବଢି ତରକାରୀ
କୁହନ୍ତି ସଭିଏଁ ରୋଷେଇ ନୁହେଁ ଲାଗେ ଅମୃତ ପରି ।
ସ୍ନୋ ପାଉଡର ଲିପଷ୍ଟିକ୍ ରେ ତାର ନ ଥାଏ ମନ
ଅଳସ ବିଳାସ ରେ ଉଡାଏନି କେବେ କାହାର ଧନ ।
ମାଟିଘରେ ସୁଖ ତାର ପକ୍କା ଘର ଲୋଡ଼ି ନାହିଁ
ହାତ ତିଆରି ରୋଷେଇ ମନ ହୋଟେଲ ଯାଏ ନାହିଁ ।
ଏଣୁ ତେଣୁ ବହି ପଢ଼ି ମୁଣ୍ଡ କରେ ନାହିଁ ଖରାପ
କଳଙ୍କ ବିହୀନ ଅଟଇ ସେହି ଦରଦୀ କୋମଳ ହୃଦ ।
ତାରକା ସମ ଝଲସି ଉଠେ ସଭିଙ୍କ ମନ ଆକାଶରେ
ଲୁଚିଯାଏ କେବେ ଉଦିତ ସୂର୍ଯ୍ୟର ତିର୍ଯକ୍ କିରଣରେ ।