କବି କେବେ ମରେ ନାହିଁ
କବି କେବେ ମରେ ନାହିଁ
ସେ ତ କବି
ମରିବନି କେବେ ତାହାରି ଭାବନା
ଗଢ଼ିଦବ ତାକୁ କରି ଅନାବନା
ପ୍ରକୃତି କୁ ଦେବ ମଣିଷ ସଜେଇ
ପକ୍ଷୀ ର କାକଳି କୁ ଦେବ
ସାତ ସୁରରେ ହଜେଇ
ପର୍ବତ ରେ ଦେବ ଫୁଲ ଫୁଟାଇ ।
ଶବ ଦେହେ ଦେବ ସଂଜୀବନୀ ମନ୍ତ୍ର
ପାଷାଣ କୁ କରିଦେବ ଜଳରେ ପୂର୍ଣ୍ଣ
ଅସମ୍ଭବ ସବୁ ସମ୍ଭବ ହୁଏ
ଲେଖନୀ ମୁନ ରେ ତାକୁ ଝାଡିଦିଏ
ସୌନ୍ଦର୍ଯ୍ୟ ପିପାସୁ ପ୍ରେମେ ହଜିଯାଇ
ଆଙ୍କିଦିଏ କେବେ ରଙ୍ଗୀନ ଛବି ।
କେବେ ନାୟିକା ର ବିରହ ଜ୍ୱାଳାକୁ
ଜ୍ୱାଳମୟୀ କରି ପ୍ରଶମିତ କରେ କବି
ବସନ୍ତ କୁ ରାଜା ପ୍ରକୃତି କୁ ରାଣୀ
ଗଢ଼ିଦିଏ ତା ଲେଖନୀ ମୁନରେ
ଏକ ସୁନ୍ଦର ଯୁବା ତରୁଣୀ
ନାୟିକା ର ପ୍ରତ୍ୟେକ ଅଙ୍ଗକୁ ।
ସଜାଏ କେବେ ଆଳଙ୍କାରିକ ଦେଇ
ନୟନ କୁ କରିଦିଏ କନ୍ଦର୍ପ ର କାମ ବାଣ
ଓଷ୍ଠ କୁ କରିଦିଏ ଗୋଲାପ ର ପାଖୁଡ଼ା
ଅଙ୍ଗୁଳି କୁ ଗଢି ଚମ୍ପାକଢ଼ି ତୁଲ୍ୟ
ସଜାଇ ଦିଏ ନାୟକ ପାଇଁ ପ୍ରତିଛବି
ମରେ ନାହିଁ କବି କବିର କବିତା
କବିତା ଯେ ତାର କାଳଜୟୀ ସ୍ରଷ୍ଟା
ଆକାଶ ଛୁଇଁବାକୁ କେବେ ଚାହେଁ ନାହିଁ ।
ଲକ୍ଷେ ହୃଦୟରେ ଘର କରିଅଛି
ଆକାଶ ଠୁ ସିଏ କି ବଡ ହେବ ନାହିଁ
ଭଙ୍ଗା ଦୀପ ରେ ସେ ଆଲୁଅ କୁ ଗଢି ତୋଳେ
ତାକୁ ତାରା ର ଆବଶ୍ୟକତା ନାହିଁ
ଫୁଲ ସିନା ମଉଳି ଯାଏ
ହେଲେ କବିର ଲେଖା କେବେ ମଉଳେ ନାହିଁ
ଭାବ ଛିଟା ମାରି ଶବ୍ଦ ଯୋଡ଼ିଦିଏ ।
ସମାଜର ସିଏ ସଂସ୍କାରକ
ଦେଇଯାଏ କେବେ ନୂତନ ବାର୍ତ୍ତା
ଅମ୍ଳାନ ପ୍ରତିଭା ରହିଥାଏ ସଦା
ନିଃଶ୍ୱାସ ତ୍ୟାଗ କରି ବି ହୃଦେ ରହିଯାଏ ସଦା
ସେ ତ କବି
ମରେ ନାହିଁ ସିଏ ନବ ଆଲୋକ ର ରବି