STORYMIRROR

Kishore Nayak

Classics

4  

Kishore Nayak

Classics

ନୂଆ ବରଷର ନବ ପୁଲକ

ନୂଆ ବରଷର ନବ ପୁଲକ

1 min
383


ପାହିଲାଣି ନିଶି          ପ୍ରାତ ହେଲା ଆସି 

        ସୂରୁଜ ଗଲେଣି ଉଇଁ 

ନୂଆ ବରଷର           ନବାରୁଣେ ଆଜି 

        ଉଦ୍ଭାସିତ ଏଇ ଭୂଇଁ l


ବନ ଉପବନେ          ସରିତ କାନନେ 

         ଝଲସଇ ନବ ପ୍ରଭା 

ନବ ରବି କର          ପାଇଣ ଭୂଧର 

        ବଢାଏ ତାହାର ଶୋଭା l


ବିଟପୀ ଡାଳରେ         ଖେଚେର ବସିଣ 

         ଗାଇଲେଣି ନବଗୀତି 

ନୂଆ ବରଷର           ନବ ପୁଲକରେ 

         ସଭିଏଁ ଗଲେଣି ମାତି l


ନୂଆ ସମ୍ଭାବନା          ନୂଆ ଆଶା ନେଇ 

        ସଜେଇ ହେଲାଣି ଧରା

ଉଜୁଡା ଅତୀତ          ହୁଅଇ ପ୍ରତୀତ 

         ସଜାଡି ହେବାକୁ ପରା l


ଅସୁମାରୀ ଆଶା         ସୀମାହୀନ ସ୍ବପ୍ନ 

          ଅନ୍ତରର ଅଭିଳାଷ 

ଆଉଥରେ ପୁଣି          ଗଢିବାକୁ ହେବ 

         ଦେଇ ତାକୁ ନବ ସ୍ପର୍ଶ l


ନିଜ ସାମର୍ଥ୍ୟରେ         ସ୍ବପ୍ନର ସୌଧକୁ 

          ଗଢିବାକୁ ହେବ ପୁଣି 

ନବ ସଂକଳ୍ପରେ          ନବ ଚେତନାରେ 

         ନବ ଉନ୍ମାଦନା ଆଣି l


ନୂଆ ବରଷର           ପହିଲି ସୂରୁଜ 

         ଅଜସ୍ର ପୁଲକ ଆଣୁ 

ସଭିଙ୍କ ଜୀବନେ         ଏ ମଧୁ ଲଗନେ 

         ଆଶାର ମୁରୁଜ ବୁଣୁ l


Rate this content
Log in

Similar oriya poem from Classics