ନୂଆ ବର୍ଷ ଅନୁଭୂତି
ନୂଆ ବର୍ଷ ଅନୁଭୂତି
ସୁଗଭୀର ନିଶିଥିନୀ ଡେଣା ଝାଡି ଦେଇ
ଶୀତ ଥୁରୁ ଥୁରୁ ରାତି ଦେଇଛି ପୁହାଇ ।
ବେଳା ଛୋଟ ଛୋଟ ପରି ଅଳସୀ କଅଁଳ
ରୌଦ୍ରତାପ ପାଇଁ ମନ କେଡେ ଯେ ବିକଳ ।
ବଡ଼ଦିନ ଆଗମନେ ପ୍ରକୃତିରୁ ଜୀବ
ନଦୀ ସାଗର ପର୍ବତ ଉପଭୋଗେ ଲୋଭ ।
ହେଉ ବା ନୈଶ ଅନ୍ଧାର ଧୂମର ପଟଳୀ
ଲଂଘି ଯାନ୍ତି ଆନନ୍ଦରେ ବଜରଂଗି ଭଳି ।
ନବ ବସ୍ତ୍ର ଦିଆ ନିଆ କେତେ ଯେ ସରାଗ
ମିଷ୍ଟାନ୍ନ ଆଦାନେ ଛନ୍ଦେ କେତେ ଅନୁରାଗ ।
କରାଳ ନିୟତି ସିନା ଖେଳେ ଆଖି ମାରି
ମଉଜ କରନ୍ତି ସର୍ବେ ବେଖାତିରି କରି ।
ଗଗନ ପ୍ରାଙ୍ଗଣେ ଖେଳେ ମିଟିମିଟି ତାରା
ମାତି ଉଠେ ମନ ଏଠି ଜୋଛନା ନିଆରା ।
ପାପ ନାଶେ କେହୁ ପୁଣି ନରେନ୍ଦ୍ରର ଜଳେ
କିଏ ଉଷ୍ମତାପ ନିଏ କାଷ୍ଠର ଅନଳେ ।
ମାନସ ସାଗରେ ଫୁଟେ ଯୀଶୁ ଖ୍ରୀଷ୍ଟ ବାଣୀ
କଟୁ ବଚନ ନବୋଲ ହୃଦୟକୁ ହାଣି ।
କର୍ମେ ବଳିୟାର ସିନା ଏ ସାରା ଜଗତେ
ଏ କଥା ବୁଝିଲେ ପ୍ରାଣୀ ରୁହେ ଆନନ୍ଦିତେ ।
ନିଃସ୍ଵାର୍ଥପରେ କରିବ ସହଯୋଗ ଦାନ
ମିତ୍ର ମଧ୍ୟେ ରଖି ଥିବ ନିବିଡ଼ ବନ୍ଧନ ।
ନୂଆ ବର୍ଷ ଆଗମନେ ରଙ୍ଗିନ ଜଗତ
ଶୀତ ଯାଏ ଝୁଲି ଝୁଲି ମନ ଆନନ୍ଦିତ ।
