ନପାରିହେଲା ତୁମକୁ
ନପାରିହେଲା ତୁମକୁ


ରାଧାଙ୍କୁ ପ୍ରେମରେ କାହ୍ନୁ ମୋହିଦେଲେ
ହୋଇଲେ ରାଧାମୋହନ ,
ଦିନେ ନ ଦେଖିଲେ ଯମୁନା ର କୂଳେ
ରାଧା ମନ ଛନଛନ ।
ରାଧା ମନ କାହ୍ନା କାହ୍ନା ମନ କୃଷ୍ଣା
ଜାଣି ରଚୁଥାନ୍ତି କେଳି ,
ଦେହ ସିନା ଭିନ୍ନ ଏକ ପ୍ରାଣ ମନ
ରାଧା ଆଉ ବନମାଳୀ ।
ନ ଦେଖିଲେ ବୋଲି ଦିନେ ବନମାଳୀ
ଧରିଲେ କାଚରା ବେଶ ,
କାଚ ଭାର ମୁଣ୍ଡେ ଧରି ଗୋପଦାଣ୍ଡେ
କରିଲେ କାହ୍ନୁ ପ୍ରବେଶ ।
ଆସ ଗୋପବାଳି ମୁଁ ଭଳିକି ଭଳି
କାଚରା ଆସିଛି ନେଇ,
ଲଳିତା ବିଶାଖା ଚିତ୍ରା ଇନ୍ଦୁଲେଖା
ଦଉଡି ଆସିଲେ ରାଈ ।
ଏକ ଏକ
କରି ନିରେଖିଲେ ହରି
ରାଧା କୁ ସେ ଦେଖିଦେଲେ ,
କହିଲେ କହ୍ନେଇ ହାତ ଦିଅ ଦେଇ
ରଖିବି କାଚକୁ ତଳେ ।
ଯେମିତି ସେ ରାଇ ଆସିଲେ ପାଖେଇ
ଦେଖିଦେଲେ କାଚରାକୁ ,
କହିଲେ ବାହାନା କେତେ କର କାହ୍ନା
ନପାରିହେଲା ତୁମକୁ ।
ସ୍ମିତ ହାସ୍ୟ ଦେଇ କହନ୍ତି କହ୍ନେଇ
ବ୍ୟାକୁଳ ହେଲା ମୋ ମନ ,
ସେଲାଗି ଗୋ ରାଈ କାଚରା କୁ ନେଇ
ଆସିଛି ତୁମ ସଦନ ।
ଟିକିଏ ଲାଜେଇ ଦେଖିଲେ କଣେଇ
ରାଧିକା ଗୋପୀନାଥଙ୍କୁ ,
କହିଲେ ଏ ଭାବ ଯୁଗେ ଯୁଗେ ଥିବ
ନପାରିହେଲା ତୁମକୁ ।