ଏବେ ବି ସମୟ ଅଛି
ଏବେ ବି ସମୟ ଅଛି


ପାଶ୍ଚାତ୍ୟ ଆସିଲା
ସଂସ୍କାର ଖାଇଲା
ଧ୍ଵଜା ଏବେ ବାକି ଅଛି,
ଥାଉ ଥାଉ ବେଳ
ବାନ୍ଧ ରେ କୁମର
ଏବେ ବି ସମୟ ଅଛି ॥୧॥
ଟହ ଟହ ଲାଲ
ମହାକାଳ ଫଳ
ପୁରି ରହିଥାଏ ବିଷ ,
ରାଜା ବି ଫକିର
ହୋଇ ବୁଲେ ଘର
ଗଳେ ଝୁଲାଇ ଅଙ୍କୁଶ ॥୨॥
ଖଜୁରୀ ଗଛର
କି ଗୁଣ ଗାଇବି
ମୂଳରୁ ପାହାଚ ଥାଇ,
ଥିଲା ଯିଏ ଦିନେ
ଶାସକ ଶାସନେ
ବୁଲେ ସେ ମୂଷିକ ହୋଇ ॥୩॥
କାଳର କ୍ରୂରରେ
ପଡିଗଲେ ଥରେ
ରହିବନି ଆଉ କିଛି ,
ଥାଉ ଥାଉ ବେଳ
ବାନ୍ଧ ରେ କୁମର
ଏବେ ବି ସମୟ ଅଛି ॥୪॥
ଯେବେ ଠୁ ଆସିଲା
ଏ ଦୂରଦର୍ଶନ
ବେତାରେ କାଳ ପଡିଲା,
ସେହି ମଜା ତୁହି
ପାଇବୁ ବା କାହିଁ
ରେଡିଓ କାଖେଇ ବୁଲା ॥୫॥
ସ
୍ମାର୍ଟ ମୋବାଇଲ
ବର୍ଣ୍ଣବୋଧେ କାଳ
ଖାଇଲା ସିଲଟ ଖଡି ,
ଯେଉଁ ପିଲା ଦିନେ
ବସୁଥିଲା ମୌନେ
ଠିଆ ସେ ପ୍ରଥମ ଧାଡି ॥୬॥
ଇଂରାଜୀ ର ଚେର
ହୁଏ ଅଗ୍ରସର
ମାତୃଭାଷା ଯାଏ ଲୁଚି,
ଥାଉ ଥାଉ ବେଳ
ବାନ୍ଧ ରେ କୁମର
ଏବେ ବି ସମୟ ଅଛି ॥୭॥
ଅପାଠୁଆ ଆଜ୍ଞା
ପାଠୁଆ ଅବଜ୍ଞା
ନ କରି ନାଚେ ଇଶାରେ,
ହାତୀର ପିଠିରେ
ବାଘ ମଜାମାରେ
ଛେଳି ଟା ବାଘ ଉପରେ ॥୮॥
ଦିନେ ପିନ୍ଧୁଥିଲା
ଗରିବର ପିଲା
ଛିଣ୍ଡା ଜାମା ଦେହେ ତାର,
ଏବେ ବଡ ଯେତେ
କରୁଛନ୍ତି ସତେ
ଚିରା କନାକୁ ଆଦର ॥୯॥
ବସିକି ଭୋଜନ
ବଡ କୁ ସମ୍ମାନ
ଆଉ ନାହିଁ ବଛା ବାଛି ,
ଥାଉ ଥାଉ ବେଳ
ବାନ୍ଧ ରେ କୁମର
ଏବେ ବି ସମୟ ଅଛି ॥୧୦॥