ବର୍ଷା କାଳ
ବର୍ଷା କାଳ
ଅମ୍ବରେ ଅମ୍ବୁକୁ କୋଳେଇ ପୟୋଧର ଭାସଇ ,
ଶିଖରୀ ଉପରେ ମୟୂରୀ ନାଚେ ପୁଚ୍ଛ ମେଲାଇ ।
ଝର ଝର ହେଇ ଝରିଲା ବାରି ମେଘ ବକ୍ଷରୁ ,
ପୁଲକିତ ହେଲା ବସୁଧା ସୁନାସୀର କୃପାରୁ ।
ଘଡଘଡି ସହ ବିଜୁଳି ଚମକଇ ଆକାଶେ,
ସିନ୍ଧୁ ସରୀ ନଈ ପୁରଇ ମୀନ ଜଳରେ ଭାଷେ ।
ବିହଙ୍ଗ କୁରଙ୍ଗ ମୃଗେନ୍ଦ୍ର ଲୁଚିଗଲେ କୁଞ୍ଜର ,
ପୁଣି ଦିବାକର ଲୁଚିଲେ ଆଢୁଆଲେ ମୁଦିର ।
ଚାହୁଁ ଚାହୁଁ ଚାରି ଦିଗରେ ଘୋଟି ଆସେ ଅନ୍ଧାର,
କମ୍ପିଲା ଗଗନ ଶୁଭିଲା ଇନ୍ଦ୍ର ବଜ୍ର ପ୍ରହାର ।
ବହିଲା ଅନିଳ ଥରିଲା ମହାଦ୍ରୁମ କାନନେ,
ଭେକ ରଡି ଶୁଣି ଭୁଜଗ ଗର୍ତ୍ତୁ ଆସେ ଗର୍ଜନେ ।
ଧରିତ୍ରୀ କୋଳରେ ପ୍ରବେଶ କଲେ ଯେ ବିଭାବରୀ,
ଜାୟା କାନ୍ତ ବାହୁ ବନ୍ଧନେ ଯାଇ ରହଇ ଡରି ।
ଧୀରେ ଧୀରେ ଶାନ୍ତ ବାରିଦ ଥମିଗଲା ସମୀର ,
ଘୋଡାଇ ଶୋଇଲା ଅମ୍ବର ତାରା ଛିଟା ଚଦର ।
( ଅମ୍ବରେ –ଆକାଶରେ , ଅମ୍ବୁକୁ- ଜଳ କୁ , ପୟୋଧର – ମେଘ, ମୁଦିର- ମେଘ , ଶିଖରୀ – ପର୍ବତ ,
ଭୁଜଗ-ସର୍ପ, କୁରଙ୍ଗ-ମୃଗ, ମୃଗେନ୍ଦ୍ର-ସିଂହ, କୁଞ୍ଜର-ହାତୀ, ବିଭାବରୀ-ରାତି, ବାରିଦ-ମେଘ, )