ଆନନ୍ଦାଶ୍ରୁ ଝରିଗଲା
ଆନନ୍ଦାଶ୍ରୁ ଝରିଗଲା
ପଡିଶାର ଘର
ଫୁଲେ ଭରପୁର
ଜୁଇ ଯାଇ ହେନା ମଲ୍ଲୀ ,
ଗୋଲାପ ର ଫୁଲ
କରିଲା ପାଗଳ
ନକହି ଭିତରେ ଗଲି ॥୧॥
କୁକୁର ଭୁକିଲା
ବନ୍ଧା ହୋଇଥିଲା
ବୋଲି ମୁହିଁ ବଞ୍ଚିଗଲି ,
ବୃଦ୍ଧା ମହୀୟସୀ
କହେ ହସି ହସି
ଭାବୁଛ କି ଡ଼ରିଗଲି ॥୨॥
ପୂଜା ପାଇଁ ଫୁଲ
ଯେତେ ପାର ତୋଳ
ମନା ନାହିଁ ଆପଣଙ୍କୁ ,
ଘରକୁ ସେ ଡାକି
କହେ ନିରିମାଖୀ
ବସି ଚାହା ପିଇବାକୁ ॥୩॥
କୋଉଠି ଦେଖିଲା
ପରି ମନେ ହେଲା
ଚିନ୍ତା ରେ ଗଲି ମୁଁ ଉଠି ,
ମନେ ପଡିଗଲା
ସେ ବୃଦ୍ଧା ମହିଳା
ଥିଲା ମୋର ସହପାଠୀ ॥୪॥
ଦୁହେଁ ଯେ ଦୁହିଙ୍କି
ହେଲୁ ଦେଖା ଦେଖି
ପ୍ରୀତି କହଇ ଏଥର ,
ଯେମିତି ଦେଖିଲି
ମୁହିଁ ଚିହ୍ନିଗଲି
ତୁମ ଗାଁ ମୋ ମାମୁଁ ଘର ॥୫॥
ଏଇନେ ବାବୁର
ହେଲା ଟ୍ରାନ୍ସଫର
ମାସେ ହେଲା ଅଛୁ ରହି ,
ଶୁଣହେ ମାଧବ
ବୁଲି ଆସୁଥିବ
ଭାଉଜଙ୍କୁ ସାଥେ ନେଇ ॥୬॥
ମାଧବ କହଇ
ବୁଝି ଗଲି ମୁହିଁ
ପ୍ରୀତି ତୁ ସାଙ୍ଗ ମୋହର ,
ମାମୁଁ ଘରେ ରହି
ପଢୁଥିଲୁ ତୁହି
ସାଙ୍ଗ ତୁ ବାଲ୍ୟ କାଳର ॥୭॥
ଦୁହିଙ୍କ ନୟନ
ସ୍ଫୁରେ ଘନ ଘନ
ବହୁଦିନେ ଦେଖା ହେଲା ,
ଅତୀତ ସ୍ମୃତିରେ
ଏ ବୃଦ୍ଧାବସ୍ଥା ରେ
ଆନନ୍ଦାଶ୍ରୁ ଝରିଗଲା ॥୮॥