ନନ୍ଦ ରାଜା ଘରେ କଳା ଗୋବିନ୍ଦ
ନନ୍ଦ ରାଜା ଘରେ କଳା ଗୋବିନ୍ଦ
କଂସାସୁର ଅତ୍ୟାଚାର ବଢିଲା
ଧରା ଭାର ଆଉ ସହି ନୋହିଲା ।
କୁଶକେତୁ ପାଶେ ଯାଇ ମିଳିଲା
ଆପଣା ଦୁଃଖ ସବୁ ବଖାଣିଲା ।
ବୋଲେ ବିଧାତା ମୋ ଉପାୟ ନାହିଁ
କଂସ ପ୍ରତାପ ନ ପାରଇ ସହି ।
କିଛି ପ୍ରତିକାର କର ଏହାର
ଉପାୟ କରି ମାର କଂସାସୁର ।
ଧରଣୀ ବାଣୀ ବିଧାତା ଶୁଣିଲେ
ଜଗନ୍ନାଥଙ୍କୁ ଯାଇ ଜଣାଇଲେ ।
ଜଗନ୍ନାଥ ଭଣି ଗମ୍ଭୀର ବାଣୀ
କିଛିଦିନେ ଆମ୍ଭେ ଯିବୁ ଧରଣୀ ।
ଗୋପ କଟକରେ ଜନମ ହୋଇ
କଂସାସୁର ପ୍ରାଣ ନାଶିବା ପାଇଁ ।
ଶୁଣି ବିଧାତା ଆନନ୍ଦେ ଚଳିଲେ
ଧରଣୀଙ୍କୁ ଅବଗତ କରିଲେ ।
ଧରଣୀ ଆନନ୍ଦ ଦେଖିବ କିଏ
ଆନନ୍ଦାଶ୍ରୁ ଲୋଚନରୁ ଗଡାଏ ।
ମଥୁରାର ବନ୍ଦୀଘରେ ଦେବକୀ
ବସୁଦେବଙ୍କୁ କଂସାସୁର ରଖି ।
ଅନେକ ଯାତନା ତାଙ୍କୁ ସେ ଦେଲା
ଛଅଟି ସନ୍ତାନ ତାଙ୍କ ନାଶିଲା ।
ସପ୍ତମ ଗରଭ ଗଲା ଉଭେଇ
ଅଷ୍ଟମ ଗରଭ ଆସିଛି ଧାଇଁ ।
ଅଷ୍ଟମ ଗରଭୁ ଜନ୍ମି କୁମାର
ଶୂୂନ୍ୟ ବାଣୀ ନାଶିବ କଂସାସୁର ।
ଦିନୁ ଦିନ ଦେବକୀର ଉଦର
ବଢିଲା ଶୁକ୍ଳ ଚନ୍ଦ୍ରମା ପ୍ରକାର ।
ଭାଦ୍ରବ ମାସ ଅସିତ ପକ୍ଷର
ଅଷ୍ଟମୀ ତିଥି ଉଦେ ନିଶାକର ।
ରୋହିଣୀ ନକ୍ଷତ୍ର ବୃଷ ରାଶିରେ
ଜନମିଲେ କୃଷ୍ଣ ବନ୍ଦୀଶାଳାରେ ।
ପୁଲକିତ ହୋଇ ଉଠିଲା ମହୀ
ସରଗୁ କୁସୁମ ବୃଷ୍ଟି ହୁଅଇ ।
ଗନ୍ଧର୍ବଗଣ ସଙ୍ଗେ ଅପସରୀ
ଗାନ ନୃତ୍ୟରଙ୍ଗେ ଉଷତ ଭାରି ।
ଉତ୍ସବ କରାନ୍ତି ଦେବରାଜନ
ଆକାଶେ ମେଘ କଲେ ଗରଜନ ।
ବାରି ବରଷିଲା ମୂଷଳ ଧାରା
କୃଷ୍ଣ ଜନମ ଏ ସୁଖ ଆସରା ।
ବନ୍ଦୀଗୃହ ଆଲୋକିତ ହୋଇଲା
କୋଟି ସୂରୁଜ କି ତହିଁ ଉଇଁଲା ।
ଶଙ୍ଖ ଚକ୍ର ଗଦା ଅମ୍ବୁଜ ଧରି
ଜନମ ହୋଇଲେ ଯେବେ ଶ୍ରୀହରି ।
ବସୁଦେବ ଦେବକୀ ସ୍ତୁତି କଲେ
ନରଶିଶୁ ରୂପ ଧର ବୋଇଲେ ।
ଗୋପପୁରେ ନନ୍ଦ ଘରକୁ ଯାଇ
ମୋତେ ରଖି କନ୍ୟା ଆଣିବ ଯାଇ ।
ଶୁଣି ବସୁଦେବ କଲେ ସେପରି
ନିଦ୍ରାଗତ ଥିଲେ କଂସ ପ୍ରହରୀ ।
ଫିଟିଲା ଶାଙ୍କୁଳି ମଥାରେ କୃଷ୍ଣ
ଧରି ବସୁଦେବ କଲେ ଗମନ ।
ପଥେ ପଥ ଓଗାଳେ ଉଗ୍ରସେନ
କୃଷ୍ଣ ଶଙ୍ଖ ଚକ୍ରେ ଦେଲେ ଦର୍ଶନ ।
ବରଷା ହେଲା ଢାଙ୍କିଲା ଅନନ୍ତ
ଉଛୁଳେ ଯମୁନା ନଦୀର ପାଥ ।
କୃଷ୍ଣ ପଦ ନଦୀ ଜଳ ଛୁଇଁଲା
ନଦୀର ମଧ୍ଯରେ ବାଟ ଫିଟିଲା ।
ବସୁଦେବ ମିଳି ନନ୍ଦ ମନ୍ଦିରେ
କୃଷ୍ଣଙ୍କୁ ରଖି ଯଶୋଦା କୋଳରେ ।
କନ୍ୟା ପାଲଟାଇ ଆସିଲେ ନେଇ
କଂସ ବନ୍ଦୀଗୃହେ ମିଳିଲେ ଯାଇ ।
ଶିକୁଳି ହାତ ପାଦରେ ଲାଗିଲା
କନ୍ୟା ରଡିରେ ପ୍ରହରୀ ଊଠିଲା ।
କଳା ଗୋବିନ୍ଦ ନନ୍ଦ ମନ୍ଦିରରେ
କୁଆଁ କୁଆଁ ଯଶୋଦାଙ୍କ କୋଳରେ ।
ଯଶୋଦାଙ୍କ ମୋହ କେଣିକି ଗଲା
କଳା ଗୋବିନ୍ଦର ମୁହଁ ଚାହିଁଲା ।
ଆନନ୍ଦ ନନ୍ଦ ଯଶୋଦା ହୋଇଲେ
ନନ୍ଦ ନାନା ଦାନ ଉତ୍ସବ କଲେ ।
କଳା ଗୋବିନ୍ଦ ମୋ ଜୀବ ଜୀବନ
ତା ବିନୁ ମୋ ଜୀବ ନଜାଣେ ଆନ ।
ଗୋପ ଲୀଳା ମଥୁରା ଲୀଳା କରି
କଂସ କେଶୀ ଦୁଷ୍ଟ ବିନାଶକାରୀ ।
ପୂତନା ଅଘା ଶକଟା ବକାରି
ଗୋ ବ୍ରାହ୍ମଣ ପାଣ୍ଡବ ହିତକାରୀ ।
ସାଧୁ ପାଳି ଦୁଷ୍ଟ କଲେ ବିନାଶ
କୁୁବୁୁଜା ଅକ୍ରୁର ଉଦ୍ଧବ ତୋଷ ।
ଜଗତର ଗୁରୁ କଳା ଗୋବିନ୍ଦ
ନାମ ଧରି ଲଭ ପରମ ପଦ ।
