ନନ୍ଦ ଘରେ ଆନନ୍ଦ
ନନ୍ଦ ଘରେ ଆନନ୍ଦ
ନନ୍ଦଙ୍କ ଘରେ ଆନନ୍ଦ ନାଚନ୍ତି ଯଶୋଦା ନନ୍ଦ
ଗୋପ ବାସୀ ଆନନ୍ଦିତ ହସନ୍ତି କଳା ଗୋବିନ୍ଦ ।
ଜଗତ ଜନ ତାରଣ ସତ୍ୟ ଶାନ୍ତି ପ୍ରକାଶନ
ମାନବ ସେବା କାରଣ ଧରା ଧାମେ ଅବର୍ତ୍ତିନ l
ସତ୍ୟ ଯୁଗେ ନାରାୟଣ ରୂପ ଧରି ତତକ୍ଷଣ
କରିଲେ ଧର୍ମ ସ୍ଥାପନ ହିରଣ୍ୟେ କରି ନିଧନ l
ରାମଚନ୍ଦ୍ର ରଘୁରାଣ ଅଯୋଧ୍ୟା ପ୍ରଜାଙ୍କ ପ୍ରାଣ
ପୁରୁଷୋତ୍ତମ ରାଜନ ରାବଣ ଗର୍ବ ଗଞ୍ଜନ l
କରି ବନ୍ଦୀ ଉଗ୍ରେସନ ପାଇ ରାଜ୍ୟ ସିଂହାସନ
ନାରୀ ଶିଶୁ ପ୍ରପୀଡ଼ନ କର୍ମଯେ କଂସ ରାଜନ l
ଅଧର୍ମ ଅନୀତି ଜାଣ କମ୍ପଇ ସାରା ଭୁବନ
ତ୍ରାହି ତ୍ରାହି କରେ ଜନ ରଖ ପ୍ରଭୁ ନାରାୟଣ l
ଅଷ୍ଟମ ଗର୍ଭେ ରହିଣ ଅଷ୍ଟମୀ ଭାଦ୍ରବ ଦିନ
ରାତ୍ରିର କାଳ ନିର୍ଜନ ଜନ୍ମିଲ ପାଇଁ କଲ୍ୟାଣ l
ଦେବକୀ ଆର୍ତ୍ତ କ୍ରନ୍ଦନ ଶୁଣି ପ୍ରଭୁ ଆର୍ତ୍ତତ୍ରାଣ
ଜନନୀ ରୂପେ ଗ୍ରହଣ କଲଯେ ମଧୁସୂଦନ l
ନନ୍ଦଙ୍କ ହେଲ ନନ୍ଦନ ଯଶୋଦାର ଗଣ୍ଠିଧନ
ଗୋପପୁରେ ବାଜାବାଣ କାହ୍ନାକୁ ଅଭିନନ୍ଦନ l
ଗୀତ ନାଚେ ଗୋପିଗଣ ଆନନ୍ଦିତ ସର୍ବ ଜନ
ଝରଣା ପାହାଡ଼ ବନ ପ୍ରଫୁଲ୍ଲିତ ବୃନ୍ଦାବନ l
