ନନ୍ଦ ବଳାର ଜୀବନ
ନନ୍ଦ ବଳାର ଜୀବନ
କିଏ ଦେଖିଛି ସେ' ଗୋପ ଦାଣ୍ଡ ଖେଳ
ହେଉଥିଲା କି'କି' ଖେଳ!!
ସାଥେ କିଏ ଥିଲେ ନନ୍ଦ ବଳା ସହ
କେତେବେଳେ ହୁଏ ଖେଳ!!
ପ୍ରଶ୍ନ ନୁହେଁ କଷ୍ଟ ଉତ୍ତର ସହଜ
ଜାଣନ୍ତି ସେ ଗୋପାଙ୍ଗନା
ତପ ବଳେ ଜନ୍ମି ଥିଲେ ଗୋପ ପୁରେ
ବିଧି ବିଧାନ ଯୋଜନା
ବାଳ କୃଷ୍ଣଙ୍କର ରମଣୀୟ ରୂପ
ଆକର୍ଷଣ ଦର୍ଶନରେ
ଗୋପ ପୁର ଶୋଭା ବୃଦ୍ଧି ହେଲା କ୍ରମେ
କୃଷ୍ଣ ପାଦ ରେଣୁ ଧାରେ
ନନ୍ଦ ବଳା ଯେବେ ଘର ଅଗଣାରେ
ଅଧା ଲଙ୍ଗଳା ବେଶରେ
ସେ ' ବେଳର ଖେଳ ଦେଖି ଅଛି ଯିଏ
କୌତୁକ ନିଶ୍ଚେ ସେଥିରେ
ଦେବକୀ ଗର୍ଭରୁ ଜନ୍ମ ହେବା ପରେ
ସ୍ନେହ ଯଶୋଦା କୋଳରେ
ପୁତନା ସ୍ତନରେ ବିଷ ବୋଳି ନାଶ
କଂସ ଚିନ୍ତିଲା ମନରେ
ମାତ୍ର ଛଅ ଦିନ ଶିଶୁ ଅବସ୍ଥାରେ
କୃଷ୍ଣ ଥିଲେ ନନ୍ଦ ଘରେ
ସ୍ତନ୍ୟ ପାନ ଆଢ଼ୁଆଳେ ପୂତନାର
ପ୍ରାଣ ନାଶିଲେ ଅଚିରେ
ଗୁରୁଣ୍ଡି,ଆଣ୍ଠେଇ,ପେଟେଇ କ୍ରମଶଃ
ଠୁକୁଠୁକୁ ଚାଲି ଧାରେ
ଯଶୋଦା ମାତାର ବାତ୍ସଲ୍ୟ ସ୍ରୋତରେ
ଚାଲିଲେ କ୍ଷୀପ୍ର ଗତିରେ
ଗୋପାଳ ପିଲାଙ୍କ ସଙ୍ଗେ ମେଳ ହୋଇ
ମାଟି ଧୂଳି ଧାରେ ଖେଳ
ମାଟି ଖାଉ ଖାଉ ଦେଖିଲେ ଯଶୋଦା
ହୃଦୟେ ହେଲେ ବ୍ୟାକୁଳ
"ଦେଖା ତୋ ମାଟି ଖିଆ ପାଟି ଭିତର ''
ଯଶୋଦା ମାତା କଥାରେ
ସପତ ବ୍ରହ୍ମାଣ୍ଡ ସେ ପାଟି ଭିତରେ
ବାଳ କୃଷ୍ଣ ସହିତରେ
କୃଷ୍ଣ ବାଲ୍ୟ ଲୀଳା କ୍ରମେ ଗୋପ ପୁରେ
ଦିନୁ ଦିନ ରମଣୀୟ
ବାଳ କୃଷ୍ଣ ବେଶ ମନ ମତାଣିଆ
ଗାଈ ଚରା ବେଶ ସହ
ଯଶୋଦା ମାତାର ସ୍ନେହ ବୋଳା ସ୍ପର୍ଶ
ଥିଲା ବେଶ ଠାରୁ ବଳି
ବାହ୍ୟ ଆଡମ୍ବର ସହ ସାଙ୍ଗ ମେଳେ
ଖେଳୁ ଥିଲେ ବନମାଳୀ
ଗୋପର ଗଉଡ଼ ପିଲାଙ୍କ ମେଳରେ
ଧେନୁ ଚରାଇ ବନରେ
ପିଲା ଦିନେ ବାଳ କୃଷ୍ଣ ବେଶ ନିତି
ମାତା ଯଶୋଦା ହାତରେ
ସକାଳୁ ସକାଳୁ ଶୁଣି ହମ୍ୱା ରଡ଼ି
କାହ୍ନା ହେବା ପାଇଁ ବେଶ
ସବୁ ଘର କାମ ପକାଇ ପଛରେ
ମାତା କରି ଥାନ୍ତି ବେଶ
ମଥାରେ ମୟୂର ଚୂଳ ଦେଇ ଖୋସି
ଆଖିରେ କଜ୍ଜ୍ଵଳ ଧାର
ପାଦରେ କଠଉ ହାତରେ ବଇଁଶୀ
ଗଳାରେ ସୁବର୍ଣ୍ଣ ହାର
କୌତୁକିଆ ବେଶ ନିତି କରି ବାକୁ
ମାତାଙ୍କ ମନରେ ଖୁସି
ବେଶ କାମ ସରି ଗଲା ପରେ ମାତା
ଥରେ ଦିଅନ୍ତି ଆଉଁସି
ବାଳ କୃଷ୍ଣଙ୍କର ସବୁ ଅଳି ଅର୍ଦ୍ଦଳି
ସହିଛି ମାତା ଯଶୋଦା
ଅଝଟ ପଣିଆ ପୁଣି ଚପଳାମି
ମାତା ଜାଣୁ ଥିଲେ ସଦା
ମାତାଙ୍କ ମମତା ପୁଣି ବେଶ ସଜ୍ଜା
କେବଳ କାହ୍ନା ଜାଣିଛି
ନିତି ବେଶ ହୋଇ ହାତ ରନ୍ଧା ଖାଇ
ବନେ ଧେନୁ ଚରାଇଛି
ଧନ୍ୟ ସେ ଯଶୋଦା ଧନ୍ୟ ତା ଜୀବନ
ବାଳ କୃଷ୍ଣ ମନ ଜାଣି
ବେଶ କରି କେତେ ନାଟ ଦେଖ ଅଛି
ମାତା ହିଁ ସ୍ନେହ ରଙ୍କୁଣୀ
ଦୁଧ ଦହି ସର ଲବଣୀ ଚୋରାଇ
ମିଛ କହି ମାତା ଆଗେ
ଅନ୍ୟ ଘରୁ ଦୁଧ ଲହୁଣୀ ଚୋରାଇ
ଭର୍ତ୍ସନା ବି ଅଭିଯୋଗେ
ଯମୁନା ଘାଟ କୁ ଗଲାବେଳେ ଗୋପୀ
ନଟ ଖଟ କେତେ କଲେ
ଭାଙ୍ଗି କେତେ ଦହି ଦୁଧ ଭରା ହାଣ୍ଡି
ସଙ୍ଗ ମେଳରେ ଖାଇଲେ
କାହ୍ନା କୁ ଆକଟ ନିମନ୍ତେ ଯଶୋଦା
ହାତ ବାନ୍ଧି ରଖି ଥିଲେ
ଅନ୍ୟ କାମ ସହ ବ୍ୟସ୍ତ ଥିବା ବେଳେ
ଯାମଳା ବୃକ୍ଷ ଭାଙ୍ଗିଲେ
ଯାମଳା ଭଞ୍ଜନ ପ୍ରଚାରିତ ହେଲା
ସମଗ୍ର ଗୋପପୁର ରେ
ଲୀଳାମୟଙ୍କର ଗୋପ ଲୀଳା କ୍ରମେ
ବ୍ୟାପିଲା ବ୍ରଜ ଧାମରେ
ପୁତନା ବିନାଶ ପରେ କୋପି କଂସ
ଷଡ ମଲ୍ଲ ଗୋପେ ପେଶି
ବାଳ କୃଷ୍ଣଙ୍କର ନିଧନ ଉପାୟ
ସହ ମନେ ମନେ ଖୁସି
ଷଡ ମଲ୍ଲ ବକା, ଶକଟା ଓ ଅଘା
ତୃଣା, ଧନୁକା ସହିତ
ଷଣ୍ଢlସୁର ହତ କଲେ ବାଳ କୃଷ୍ଣ
ସବୁ ଅସୁର ନିପାତ
ବଇଁଶୀ ବଜାଇ ଗୋପୀ ମନ ମୋହି
ବସ୍ତ୍ର ହରଣର ଧାରେ
ଜଳରେ ଉଲଗ୍ନ ସ୍ନାନ ବିଧି ଘୃଣ୍ୟ
କହି ରଖିଲେ ସେଠାରେ
ଗୋପର ସୁରକ୍ଷା ବାଳ କୃଷ୍ଣ ଦ୍ଵାରା
କାଳୀୟ ଦଳନ ଧାରେ
ଇନ୍ଦ୍ରଙ୍କ କୋପ ରେ ଜଳ ମଗ୍ନ ଗୋପ
ଗିରି ଟେକି ଆଙ୍ଗୁଠିରେ
ଗିରି ଗୋବର୍ଦ୍ଧନ ଟେକି ଧରି ରଖି
ଗୋପପୁର ହେଲା ରକ୍ଷା
ବାଳ କୃଷ୍ଣ ରୂପେ ନଟ ଖଟ ସହ
ହୃଦେ ଗୋପର ସୁରକ୍ଷା
ସବୁଠୁ ଚର୍ଚ୍ଚିତ ଶ୍ରୀରାଧା କାହାଣୀ
କୃଷ୍ଣ ନାମ ସହ ଯୋଡ଼ି
ରାଧା କୃଷ୍ଣ ପ୍ରେମ ଲୀଳା ହେଉଥିଲା
କୁଞ୍ଜବନେ ଘଡି ଘଡି
ଅଦ୍ୱିତୀୟ ବଂଶୀ ସ୍ୱନ ପ୍ରଭାବରେ
ତରଳି ଥିଲା ପଥର
ପଶୁମାନେ ହିଂସ୍ର ସ୍ବଭାବ ଭୁଲିଲେ
ଯମୁନାର ଜଳ ସ୍ଥିର
ଜଳ ଚର ଜୀବ ସ୍ଥିର ଅବସ୍ଥାରେ
ବିହଙ୍ଗ କାକଳି ଭୁଲି
ପବନ ଓ ଚନ୍ଦ୍ର ନିଜ ଗତି ପଥ
ସହଜେ ଗଲେ ବି ଭୁଲି
ଧ୍ୟାନସ୍ଥ ଯୋଗୀ ର ହେଲା ଧ୍ୟାନ ଭଗ୍ନ
ଗୋପାଙ୍ଗନା ବି ବିବ୍ରତ
କାମିନୀ ଶ୍ରୀରାଧା ଯାମିନୀ କାଳରେ
ବଂଶୀ ସ୍ୱନ ରେ ମୋହିତ
କୂଳବଧୁ,ଘର ଶାଶୁ ଓ ନଣନ୍ଦ
ମନରେ ନାହିଁ ବିଚାର
କାହ୍ନା ବଂଶୀ ସ୍ଵର ଆକର୍ଷଣ ଧାରେ
କୁଞ୍ଜବନେ ଆଗଭର
ରାଧା କୃଷ୍ଣଙ୍କର ମିଳନ ହିଁ ଥିଲା
ଗୋପେ ଚର୍ଚ୍ଚାର ବିଷୟ
ପ୍ରେମର ସମ୍ପର୍କ ପରେ ବିରହର
ପରିଭାଷା ବି ନିର୍ଣ୍ଣୟ
କୃଷ୍ଣ ବଳରାମ ଅକ୍ରୁର ସହିତ
କଲେ ମଥୁରା ଗମନ
ଗୋପ କଥା ଭୁଲି ଧନୁ ଯାତ୍ରା ଦେଖା
ମନରେ କଂସ ନିଧନ
ଦୈନନ୍ଦିନ ଲୀଳା ବର୍ଣ୍ଣନା କରିବା
ଅତି ଦୁରୁହ ବ୍ୟାପାର
ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ ଲୀଳା
ଥିଲା ଉତ୍ସବ ମୁଖର
ଗୋକୁଳ ଗୋପପୁର ଓ ବୃନ୍ଦାବନ
ମଧୁବନ କୁଞ୍ଜବନ
ଯଶୋଦା ଶ୍ରୀରାଧା ବଇଁଶୀ ହଁ ଥିଲା
ନନ୍ଦ ବଳାର ଜୀବନ
