ନିସର୍ତ୍ତ ପ୍ରେମ
ନିସର୍ତ୍ତ ପ୍ରେମ
ନିସର୍ତ୍ତ ପ୍ରେମର ଭାବ ଅନାବିଳ
ହୃଦୟ ରେ ରୁହେ ସଦା ଚିରକାଳ
ଲୁହର ଆଖିରେ ତା ମୁରୁକି ହସ
କେତେ ପବିତ୍ର ସେ ସ୍ବତନ୍ତ୍ର ବିଶେଷ ।
ବିଶାଳ ସାଗର ପରି ସେ ଅସୀମ
ତା ସ୍ପର୍ଶ ରେ ମନହୁଏ ମନୋରମ
ଚିର ସବୁଜ ସେ ପ୍ରୀତି ବନାନୀରେ
ଦୁର୍ବାଦଳ ସମ ଅଙ୍କୁରେ ଅନ୍ତରେ ।
ନିଷ୍କାମ ମନରେ ଆଶାର ଆଲୋକ
ହୋଇ ଜଳୁଥାଏ ଜୀବନଟା ଯାକ
ମୃଦୁ ମଳୟ ରେ କେବେକେବେ ଆସି
ଛୁଇଁ ଦେଇଯାଏ ଅଳ୍ପ ଅଳ୍ପ ହସି ।
ଭଲ ପାଇବାର ଭରସା ଦୀପାଳୀ
ନିଷ୍ପାପ ହୃଦୟେ ସଂକଳ୍ପ ରେ ଜାଳି
ତ୍ଯାଗ କୁ କରିଲେ ଜୀବନର ବ୍ରତ
ନିଷ୍ଠାରେ ଗାଏସେ ଜୀବନ ସଙ୍ଗୀତ ।
ଭବ୍ଯ ଚେତନାର ଭାବନା ରାଜ୍ଯରେ
ସ୍ବାର୍ଥ କୁ ଆହୁତି ଦିଏସେ ଇଛାରେ
ଆପଣା ପଣର ସ୍ନେହ ଆଦରରେ
ନିଭୃତ କନ୍ଦରେ ଧାରେ ଅମୃତରେ ।
ସୁବର୍ଣ୍ଣ ବିଭବ ତାର ସମ ନୁହେଁ
ନିସର୍ତ୍ତ ପ୍ରେମ ସେ ଆତ୍ମା କୁ ଭିଜାଏ
ନାହିଁ ଆବିଳତା ନିସର୍ତ୍ତ ପ୍ରେମରେ
ସୁଦୃଢ଼ ବନ୍ଧ ସେ ସଂପର୍କ ସେତୁରେ ।
