ନିଶବ୍ଦ ରାତିର କବିତା
ନିଶବ୍ଦ ରାତିର କବିତା


ତମେ ଛୁଇଁଦେବା ପରେ
ମୁହୂର୍ତ୍ତକରେ ବଦଳିଯାଏ
ମୋ ମନର ପରିଭାଷା ,
ଶ୍ରାବଣରେ ବି ମୋ ମନରେ
ଜଳିବାର ମୋହ ।
ଜହ୍ନର ରୁମାଲରେ ମୁହଁ ଢାଙ୍କି
ଆଲିଙ୍ଗି ନିଏ ଅନ୍ଧାରକୁ ,
ଗୁଣୁଗୁଣୁ ହେଇ ଗାଇଚାଲେ
ଉଛୁଳା ସପନର ଅନାବନା ଗୀତ
ଛାତିଏ ଆବେଗର ଉତ୍ତାଳ ତରଙ୍ଗରେ
ସହଜ ସହଜ ଲାଗେ
ସଂପର୍କର ଭାରିଭାରି ପଥ ।
ଆଉ ଠିକ୍ ସେତିକିବେଳେ
ଆମ ହାତ ଲେଖା ପ୍ରେମ କବିତା ସବୁ
ଖୁସିରେ ଉଡିବୁଲନ୍ତି
ତାରା ଫୁଲଙ୍କ ବଗିଚାରେ
ପ୍ରୀତିର ଗୋଲାପ ସବୁ ବୁଡି ମରନ୍ତି
ଅଥୟ ପ୍ରେମର ପାଣି ତଳେ ।
ତମ ରୁଣୁଝୁଣୁ ପାଉଁଜିର
ଝିପିଝିପି ବର୍ଷାର ନିକ୍ବଣ
ଋତୁମତି ନଈଟିଏ ହେଇ
ବହିଯାଏ ମୋ ହୃଦୟ ଉପତ୍ୟକାରେ ।
ତମ ଗଭାର ରଜନୀଗନ୍ଧାର ଅମ୍ଲାନ ବାସ୍ନା
ସଞ୍ଚରି ଯାଉଥାଏ
ମୋ ଦେହ ଓ ମନ ସାରା ।
ବାହାରେ ମୌସୁମୀ ବର୍ଷା ଛେଚୁଥିଲେ ବି
ମୁଁ ପ୍ରୀତିର ଦୋଳୀରେ ଝୁଲୁଥାଏ,
ତୁମ ଭଲପାଇବାର ବର୍ଷାରେ
ଗୋଟା ପଣେ ଗାଧୋଇସାରି
ଗାଉଥାଏ ନିଶବ୍ଦ ରାତିର କବିତା ।
****