ନିଶ୍ବ ମୋ ପସରା
ନିଶ୍ବ ମୋ ପସରା
ମୁଁ ଅବା କଣ ଦେବି
କେଉଁ କାଳରୁ ଲୁଚେଇଥିବା
ମୋ ଶୁଖିଲା ପାଣ୍ଡୁର ଓଠରେ
ଦରଫୁଟା ଚେନାଏ ସ୍ମିତହାସ୍ୟ
ନା ସ୍ପର୍ଶରେ ସିହରଣ ଯୁକ୍ତ କାତରତା
କିମ୍ବା ଦୀର୍ଘଶ୍ବାସର ଉଷ୍ମତା ।।
ଅଲରା କହରା କେଶର ଫାଙ୍କରୁ
ଚ଼କ୍ ଚ଼କ୍ ଝଟକୁଥିବା ନିରଳସ
ଆଖି ଯୋଡ଼ିକରେ ସ୍ନେହବୋଳା
କ୍ଷଣିକ ମାତ୍ର ନିଦକ ତୃପ୍ତିର ସଙ୍କେତ
ନା ଆବେଗ ଭରା ସମ୍ମୋହନ ଯୁକ୍ତ
କଟାକ୍ଷ ନଜରର ସନ୍ଧି ।।
ପରିଶେଷରେ ମଉଳା ବଦନରୁ
ସର୍ବାଙ୍ଗ ଶରୀରରେ
ବିଜୁଳି ବେଗରେ ଖେଳି ଯାଇଥିବା
ସହମତିର ସ୍ବୀକାରୋକ୍ତି
ନା ଶରୀରରେ ତରଙ୍ଗାୟୀତ ହେଉଥିବା
ଲୁକକାୟୀତ ଭାବର ଆବେଗକୁ ।।
ନିଶ୍ବ ମୋ ପସରା ଆଜି
ଏଇ ଦିଗନ୍ତ ପ୍ରସାରୀ ଆକାଶ ତଳେ
ନା କିଛି ପାଇବାର ସମ୍ଭାବନା
ନା ପ୍ରଗତିର ଅନୁଶୋଚନା
ସବୁ ସମ୍ପର୍କ ଆଜି ଅବାସ୍ତବ
ନିର୍ନିମେଷ ନୟନରେ ଖୋଜେ
ଦିବା ନିରୋଳାରେ କଳ୍ପନା ଯୁକ୍ତ
ସେଇ ଅଫେରନ୍ତା ଅତୀତର
ଗଣ୍ଡାଏ ଅପାସୋରା ମୁହୂର୍ତ୍ତକୁ ।।