STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ନିରୁପାୟ ଈଶ୍ୱର

ନିରୁପାୟ ଈଶ୍ୱର

2 mins
353

ତୁମେ କିଛି ଖାଅନାହିଁ ବୋଲି ତ ତୁମର ଏତେ ଆଦର

ତୁମେ କିଛି ଚାହଁନାହିଁ ବୋଲି ତ ତୁମେ ଏତେ ନିଜର,

ତୁମେ କିଛି କୁହନାହିଁ ବୋଲି ତୁମ ପାଖେ ଏତେ ଅଭିଯୋଗ

ତୁମେ କିଛି ଦେଖନାହିଁ ବୋଲି ତ ଏଠି ଏତେ ସ୍ବେଚ୍ଛାଚାର।

ହେ ଈଶ୍ୱର, ତୁମ ପରିଚୟ ଆଜି ବେନାମୀ ସାଜିଛି

ତୁମେ ପାଖରେ ଥାଇ ବି ବହୁଦୂର, ଚିହ୍ନା ହୋଇ ବି ସାତପର। 


ସକାଳ ସଞ୍ଜରେ ଚାଖଣ୍ଡେ ଥାଳିରେ ପେଟ ତୁମ ଯାଏ ପୁରି

ସଂସାର ଯାକର ବୋଝ ମୁଣ୍ଡେ ଧରି 

କେମିତି କେଜାଣି ଦିନସାରା ତୁମେ ରହୁଛ ଭୋକକୁ ମାରି !

ହାତ ପାପୁଲିରେ ସ୍ଥାନ ରହେ ବାକି ସେତିକି ନୈବେଦ୍ୟ ଧରି

ମୁଁ ତୃପ୍ତ ହୁଏ ଭୋଗ ସମର୍ପଣ କରି ତୁମ୍ଭଙ୍କୁ ସନ୍ତୁଷ୍ଟ କଲି। 

ସେଇ ଭୋଗ ପୁଣି ପ୍ରସାଦ ରୂପରେ ଗ୍ରହଣ ମୁଁ ନିଏ କରି

କେଜାଣି ସେ ଭୋଗ କାହା ପାଇଁ ଆସେ ଜାଣିଥିବ ତୁମେ ହରି। 

ସତରେ ଘରର କର୍ତ୍ତା ଭାବେ ଯଦି ରହିଥାନ୍ତ ମୋର ଘରେ

ରକମ ରକମ ଭୋଗ ଦାବୀ କରି ଖାଇଥାନ୍ତ ଆନନ୍ଦରେ। 

ସତରେ ମୁଁ କଣ ପୂଜନ୍ତି ତୁମକୁ ପୂଜାଘରେ ଶରଧାରେ,

ନା ବହୁତ ହେଲା ଆଉ ପାରିବିନି କହି ତଡ଼ିଥାନ୍ତି ବିରକ୍ତରେ !

ଜାଣିଛ ବୋଲି ତ ଅଦେଖାରେ ରହି ଯାହା ଦେଲେ ନିଅ ଭୁଞ୍ଜି

ଭୋକ ଯଦି ଥାନ୍ତା ସତରେ ତୁମ୍ଭଙ୍କୁ 

ଉପବାସେ ରହି ଦିନ ଥାନ୍ତା ବିତି ଶେଷେ ଖାଇଥାନ୍ତ ଖାଲି ମଞ୍ଜି।


ଖଟୁଲିରେ, କେବେ ପିଢ଼ାପରେ କେବେ ଟଙ୍ଗା ହୁଅ ତୁମେ କାନ୍ଥରେ,

କେବେ ପୂଜା ପାଅ କାନ୍ଥ ଆଲମାରୀର ଛୋଟିଆ ଗୋଟିଏ ଥାକରେ। 

ବେଶୀ ବଡ଼ ହେଲେ ପୂଜାଘର ହୁଏ ବଳକା ସୀମିତ ସ୍ଥାନରେ,

ତୁମେ ଗଢ଼ାହୁଅ ଆମ ସୁବିଧାନୁସାରେ ବଡ଼ କିମ୍ବା ଛୋଟ ରୂପରେ। 

ତୁମ ପାଇଁ ପରା ଯଥେଷ୍ଠ ଆମର ଘରର ଐଶାନ୍ୟ କୋଣରେ

କିଛି ନହେଲେ ବି ରହିଯାଅ ତୁମେ ଛୋଟ ଏକ କାଠ ବାକ୍ସରେ।

ଘରର ଜଣେ ସଦସ୍ୟଟେ ପରି ରହିଥାନ୍ତ ଯେବେ ତୁମେ ସଦା

ନିତିଦିନ ଅତିଥିଟେ ପରି ତୁମେ ପାଇଥାନ୍ତ ବୋଧେ ତୁମେ ନିନ୍ଦା।

ସମ୍ପର୍କ ଯେବେ ଶତ୍ରୁତା ସୂତାରେ ଛନ୍ଦି ହୁଏ ଜାଗା ପାଇଁ

କେମିତି ବା ଏଠି ଅନୁରୂପ ଜାଗା ମିଳିଥାନ୍ତା ତୁମ ପାଇଁ। 

ରହିଥାନ୍ତ ଶେଷେ ରହିଛ ଯେପରି ମନ୍ଦିର ଅନ୍ଧାରି ଗର୍ଭରେ

କିମ୍ବା କେଉଁ ଗଛତଳେ ଥାଇ ଚାହିଁ ରହିଥାନ୍ତ ନିରୂପାୟରେ। 


ଖଣ୍ଡେ ସାଲୁକନା ପିନ୍ଧି ମାସ ମାସ ଧରି ରହିଅଛ ନିରବରେ

କିମ୍ବା ଜରିଦିଆ ଶସ୍ତା ପାଟ ଖଣ୍ଡେ ପିନ୍ଧି ବସିଛ ସିନା ବାଧ୍ୟରେ। 

ଅଳଙ୍କାର କିବା ତୁମ୍ଭକୁ କେ ଦେବ ତୃପ୍ତ ହୁଅ ଫୁଲପତ୍ରରେ

ନିରୁପାୟ ହୋଇ ରହିଛ ଯେପରି ରଖିଛୁ ଆମ ସୁବିଧାରେ। 

ତୁମେ ଯଦି ନିତି ଚାହିଁ ବସିଥାନ୍ତ ଆରାମଦାୟକ ପରିଧାନ

ନିଜ ପାଇଁ ନାହିଁ ତୁମ ପାଇଁ କାହୁଁ ଆସିଥାନ୍ତା ନବ ପରିଧାନ। 

କେଇଟା ଦିନରେ ରିକ୍ତ ହୋଇଥାନ୍ତା ଏ ଘରରୁ ବୋଧେ ତୁମ ସ୍ଥାନ,

ଈଶ୍ୱର ଆଶ୍ରମ ଖୋଲା ହୋଇଥାନ୍ତା ରହିଥାନ୍ତ ହୋଇ ହୀନିମାନ। 


ତିଳେମାତ୍ର ଦେଇ ଆଶା କରୁ ଆମ୍ଭେ ଅସରନ୍ତି ସୁଖ ସାଧନ,

ବିନା ବ୍ୟୟେ ସବୁ ପ୍ରାପ୍ତି ହେବା ଆଶେ ବିତିଯାଏ ଆମ ଜୀବନ। 

ପୂଜା ବ୍ରତ ଉପବାସର ନାଆଁରେ ବାଢିବସୁ ବହୁ ଅଭିଳାଷ,

ପୂରଣ ନହେଲେ ଅନାୟାସେ କରୁ ତୁମ୍ଭ ପରେ ମିଛଟାରେ ରୋଷ। 

ଦିଶନାହିଁ ବୋଲି ତୁମ ପ୍ରତି ଏତେ ହୃଦଭରା ଭକ୍ତି ସମ୍ମାନ,

ଦେଖା ଦେଇଥିଲେ ପାଇଥାନ୍ତ ଏଠି ନିତି ନିନ୍ଦା ଆଉ ଅପମାନ।

ଯାହା ଅଛି ତାହା ତୁମ ଦାନ ସତ ଭାଗ ବସେଇଲେ ତୁମେ ପର

ଦେବାକୁ ମଣିଷ ପାଏ ନାହିଁ ଭଲ ମାଗିବା ତାଲିକା ଖୁବ ବଡ଼।


ହେ ଈଶ୍ୱର ତୁମେ ଥାଅ ହେ ସେପରି ଆଦେଖା ଅଚିହ୍ନା ହୋଇ,

ପାଉଥିବ ପୂଜା ସଦା ଭକ୍ତିଭରେ ଅନ୍ଧ ମାନବର ହୃଦେ ରହି।  



Rate this content
Log in

Similar oriya poem from Abstract