ନିର୍ବାସିତ କାହାଣୀ
ନିର୍ବାସିତ କାହାଣୀ
ଖଣ୍ଡିଏ ରୁଟି ପାଇଁ ଯେଉଁଠି
ସଂଘର୍ଷ କରେ ଜୀବନ
ଦେହ ଢାଙ୍କିବାକୁ ପରିଷ୍କାର ଲୁଗାଟିଏ
ଯେଉଁଠି ପାଲଟେ ସାତ ସପନ
ସେଠି ସୁଖ ଦୁଃଖର ସଂଜ୍ଞା ଖୋଜିବାଟା
ସତରେ ଲାଗେ ଯେମିତି
ନିଜକୁ ନିଜେ ମୁଁ ଦେଉଛି ଅପମାନ।
ମାଟି ଯେଉଁଠି ବିଛଣା ସାଜେ
ଆକାଶ ଯାହାର ଛାତ
ଦିନ ରାତି ଯା ପାଇଁ ଏକାକାର ପୁଣି
ପାଟି ଖୋଜୁଥାଏ ଭାତ
ରାସ୍ତାକଡ ଯା'ର ଘର ଓ ଅଗଣା
ଅପରିଛନ୍ନ ତା ହାତ
ତା ପାଖରେ ଯେବେ ଜୀବନ ଖୋଜେ ମୁଁ
କେହି ମୋତେ ମାରେ ଲାତ
ବଞ୍ଚିବାର ଏକ ଲକ୍ଷହୀନ ଯାତ୍ରା
ଶେଷ ପାଇଁ ପ୍ରତୀକ୍ଷିତ।
ଆଖି ଯେଉଁଠି ପଶେ କୋରଡ ଭିତରେ
ଚାହିଁ ଚାହିଁ ଆକାଶକୁ
ଜୀବନ ଯେଉଁଠି ଧରାଶାୟୀ ହୁଏ
ଧିକ ତାର ନିୟତିକୁ
ହାରିବା ଜିତିବା ତୁଛ ତା ପାଇଁ
କିଛି ନାହିଁ ଭାବିବାକୁ
ଈଶ୍ୱର ତା ପାଇଁ ସୂତ୍ରଧରଟିଏ
ଆଉ ଦଣ୍ଡେ ଜୀଇଁବାକୁ
ଲେଖନୀ ମୋ ମୋତେ ଆଖିକୁ ତରାଟି
ବାରୁଅଛି ଲେଖିବାକୁ
ସେ ବୋଧେ ସଲ୍ଲଜ, ମୁଁ ବୋଧେ ନିର୍ଲଜ
ବଖାଣୁଛି ଏକ ନିର୍ବାସିତ କାହାଣୀକୁ।