ନିରାଶ୍ରୟ
ନିରାଶ୍ରୟ
ଆହା କି ଦାରୁଣ ସାଜିଲା ବିଧାତା
ଲୁଟିନେଲା ସବୁ ସୁଖ
କୁନି ଛୁଆ ଦୁଇ ଝୁରି ହେଉଛନ୍ତି
ବାପା ମାଆଙ୍କର ମୁଖ ।
କୁଆଡୁ ଆସିଲା କରୋନା ବଇରୀ
ସାଜିଲା କାହିଁକି କାଳ
ବାପା ଚାଲିଗଲେ ଅଜଣା ରାଇଜେ
ଭାଙ୍ଗିଲା ମାଆର ବଳ ।
ବାପାଙ୍କ ଶୂନ୍ୟତା ଦେଉଥିଲା ଦୁଃଖ
ବୁଝିଲାନି ଯମ ମନ
ମାଆ ଚାଲିଗଲା ବାପାଙ୍କର ପାଶେ
ଦୁଇ ଛୁଆ ହୀନିମାନ ।
ନିରାଶ୍ରୟ ହୋଇ ଖୋଜି ହେଉଛନ୍ତି
ବାପାମାଆଙ୍କର ସ୍ନେହ
କିଏ ସେ ଖୁଆଇ ଦେବ ଗେଲକରି
କିଏ ପୋଛିଦେଵ ଲୁହ ।
କାହା ସାଥେ ଆଉ ଅଳି ସେ କରିବେ
ଚକୋଲେଟ ଆଣିଦିଅ
ରଜ ଆସିଲାଣି ବାପା ଆମପାଇଁ
ନୂଆ ଜାମା କିଣିଦିଅ ।
କିଏ ଆଉ କୋଳେ ଶୁଆଇ କହିବ
ନାନା ବାୟା ଗୀତ ଗପ
କିଏ ଆଉ ତାଙ୍କ ଦୁହିଁଙ୍କର ପାଇଁ
କରିବ ଯେ ଜପତପ ?
ବୁଲାଇନେବ କେ ଯାତରା ମେଳାକୁ
ଖେଳନା ଟେ କିଣିଦେଵ
ବାପା ମାଆ ବିନା ଜୀବନ କିଏ ସେ
ସମାଜରେ ଗଢ଼ିଦେଵ ?
ବାହାର ଦୁନିଆ ବୁଝିବା ଆଗରୁ
ଦୁନିଆକୁ କରି ଦୂର
କେମିତି ସହୁଛି ଈଶ୍ୱରଙ୍କ ହୃଦ
ନୁହେଁ କିବା ଅବିଚାର ?
ନିରାଶ୍ରୟ ଆଖି ଲୁହ ପୋଛିବାକୁ
ନାହିଁ ତାଙ୍କ ବାପାମାଆ
ଜୀବନ ପଥରେ ଦୁଇ ନୀରିହଙ୍କ
ନାହିଁ ଆଉ କିଏ ସାହା ।
ନିରାଶ୍ରୟ ସାଜି ଦୁଃଖ ସାଗରରେ
ହେଉଛନ୍ତି ଦୁହେଁ ଘାଣ୍ଟି
ମୁଖକୁ ତାଙ୍କର ଦେଖିଦେଲେ ଥରେ
ଛାତି ଯାଉଅଛି ଫାଟି ।