ନିରାଶା ସଖୀ
ନିରାଶା ସଖୀ
ଆଶା ସହ ମୋର ପଡେନାହିଁ ଭଲ
ବିଫଳତା ଦିଏ ମୋରେ
କ୍ଷୁଦ୍ରାତିକ୍ଷୁଦ୍ର ବି ଆଶା ମୋର ସବୁ
ଝଡିଯାଏ ଅଦିନରେ
ନିରାଶା ଟି ସଖୀ ସାଜିଲାଣି ଧୀରେ
ହେଲାଣି ନିଜର ଅତି
ଆଶା ଠୁ ଦୂରରେ ପଳାୟପନ୍ଥୀ ମୁଁ
ଆଶାରେ ଜାଗଇ ଭୀତି
ନାହିଁ ତିଳେ ତା'ଠି ପ୍ରୀତି
ମୋର ନାହିଁ ତିଳେ ତା'ଠି ପ୍ରୀତି
ଜିଇଁ ବା ଠୁ ଭଳି ମରିବା ପାଇଁ କି
ପ୍ରବର୍ତ୍ତାଏ ଯେଣୁ ନୀତି
ଉଠାଇ କଚାଡି ଦିଏ ତ ଫୋପାଡି
ଦରମରା କରିଥାଏ
ବାରମ୍ବାର ପୁଣି ତା'ସାଥୀରେ ଭେଟ
କାହିଁକି ଯେ ହୋଇଯାଏ
ଭାବର ଆବେଗେ ସ୍ପର୍ଶ ଯଦି କରେ
ଛୋଟ ଆଶାଟିକୁ କେବେ
ମତ୍ତହସ୍ତୀ ପ୍ରାୟ ଶୁଣ୍ଢରେ ଫିଙ୍ଗଇ
ଚେତା ଶୂନ୍ୟ ହୁଏ ତେବେ
ନିରାଶା ସଖୀ ମୋ ଆସି ଦିଏ କହି
ମୋ ସାଥିରେ ରୁହ ଭଲେ
ଉଠିବା ପଡ଼ିବା ନ ଥାଏ ମୋ ପାଖେ
କିଛି ମିଳୁ ବା ନ ମିଳେ
