ନିଳାଦ୍ରୀ ଗୋସାଇଁ
ନିଳାଦ୍ରୀ ଗୋସାଇଁ
ନୀଳାଦ୍ରି ଗୋସାଇଁ ହେ ଜଗତ ସାଇଁ
ନୀଳାଚଳେ ଅଛ ରହି,
ଦୁଃଖନାଶନ ହେ! ପତିତପାବନ
ଥାଅ ଭକତକୁ ଚାହିଁ।
ନୀଳାଚଳ ଧାମେ ନୀଳସିନ୍ଧୁ କୂଳେ
ନୀଳକନ୍ଦରେ ବିଦିତ,
ନୀଳଚକ୍ର ତୁମ ପତିତ ପାବନ
ଶ୍ରୀମନ୍ଦିର ଶୀରି ନେତ।
ନିଜେ ହିଁ ନିଜର ସ୍ରଷ୍ଟା ମହାପ୍ରଭୁ
ନାହିଁ ତୁମର ତୁଳନା,
ଅବର୍ଣ୍ଣନୀୟ ହେ! ଅମାପ ଅସୀମ
କେ' କରି ପାରେ କଳନା।
ନୀଳାମୟ ଲୀଳା ଲଗାଇ ଦେଇଛ
ବାରମାସେ ତେର ଯାତ,
ଉଦ୍ଧାରିବା ପାଇଁ ପତିତ ଜନକୁ
ରଥେ ହୁଅ ବିରାଜିତ।
ନୀଳ ମାଧବରୁ ପରମବ୍ରହ୍ମ ଯାଏ
ସର୍ଜନାର ମୂଳାଧାର,
ଚଉଦ ବ୍ରହ୍ମାଣ୍ଡ ବିଶ୍ଵ ଭୁବନର
ସବୁ ସର୍ଜନା ତୁମର।
ନୀଳା ଚଳିଆ ହେ! ଜଗତର ନାଥ
ସମଗ୍ର ପାଳନକର୍ତ୍ତା,
ଆକାଶ,ସାଗର,ମାଟି,ତରୁ ,ଲତା
ସଭିଙ୍କ ପରମପିତା।
ନିଳାଦ୍ରୀ ଗୋସାଇଁ ଆହେ ନୀଳମଣି
ଦୀନ ଦୁଃଖ ଦୂର କର,
ଦୀନଜନ ପାଇଁ ସୁରକ୍ଷା କବଚ
ସର୍ବେ ପୂଜନ୍ତି ପୟର।
ନୀଳ ଶଇଳର ଗୁମ୍ଫା ମଧ୍ୟେ ତୁମେ
ନୀଳ ମାଧବେ ବିଦିତ,
ନୀଳା ଚଳେ ଆସି ନୀଳ ଚକ୍ରେ ତୁମେ
କର ପାବନ ପତିତ।
ନିଳାଦ୍ରୀ ବିହାରୀ ଆହେ ଗିରିଧାରୀ
ତୁମେ ସତ୍ୟ ଚିରନ୍ତନ,
ତୁମେ ମାତା,ତୁମେ ପିତା ମହାପ୍ରଭୁ
ଭକତର ପ୍ରିୟତମ।
ନୀଳାଚଳ ଧାମେ ଉଡୁଛି ସର୍ବଦା
ତୁମ ପତିତପାବନ,
ନୀଳଚକ୍ର ଦେଖି ତରିଯାଏ ପାପୀ
ହୁଏ ନାହିଁ ପୁନର୍ଜନ୍ମ।