ଛାଇ ଆଲୁଅର ଖେଳ
ଛାଇ ଆଲୁଅର ଖେଳ
ଜୀବନ ନାଟକେ ଦୁଃଖ ଆଉ ସୁଖ
ଛାଇ ଆଲୁଅର ଖେଳ,
ଆସନ୍ତି ଯାଆନ୍ତି ସମୟାନ୍ତରରେ
ଦେଖି ଭଲ,ମନ୍ଦ, ବେଳ।
ଜୀଇଁ ଜାଣିଥିଲେ ଜୀବନ ସୁନ୍ଦର,
ଜୀଇଁ ନ ଜାଣିଲେ ବିଷ ।
ଜୀବନ ଫର୍ଦ୍ଦକୁ ପରଖି ନ ଜାଣି
କାହିଁକି ବା ଦେବା ଦୋଷ ?
ସୁଖ ଆଉ ଦୁଃଖ ଉଭୟଙ୍କୁ ନେଇ
ଜୀବନର ସ୍ରୋତ ଚାଲେ ।
ଦୁଃଖ ଆଉ ସୁଖ ଉଭୟେ ସଙ୍ଗାତ
ହସୁଥାନ୍ତି ଅନ୍ତରାଳେ ।
ମୃଦୁ ମଧୁଭାଷୀ ମଣିଷ ପାଇଁକି
ଜୀବନ ମଧୁମାଳତୀ ।
ଆତ୍ମ ପ୍ରତାରକ ଅମଣିଷ ପାଇଁ
ଅପଯଶ, ଅପକୀର୍ତ୍ତି ।
କୋୖଣସି ମଣିଷ ସମ୍ପୂର୍ଣ୍ଣ ନୁହଇ
ଏଇ ମର୍ତ୍ତ୍ୟ ମଣ୍ଡଳରେ,
ଭଲ ଆଉ ମନ୍ଦ ମିଶି ରହିଥାଏ
ମଣିଷର ଚରିତ୍ରରେ।
ଉପରୁ ଦେଖିଲେ ଜୀବନ କେବଳ
ନିରାଶାର ମରୁବାଲି,
ଦିବ୍ୟ ଚେତନାର ନଜରେ ଦେଖିଲେ
ଅମୃତମୟ ରଙ୍ଗୋଲି।
ମର୍ତ୍ତ୍ୟେ ବିଭୂଷିତ ସନ୍ତାନ ଅମୃତ
ଈଶ୍ୱର ଆମର ମିତ୍ର ,
ଆତ୍ମାନୁଶୀଳନେ ପ୍ରସ୍ତୁତ ହୋଇବ
ପୂର୍ଣ୍ଣାଙ୍ଗ ଜୀବନ କ୍ଷେତ୍ର।
ଜୀବନ ଜଟିଳ ଗଣିତ ପାଠର
ଶୁଦ୍ଧ ସମାଧାନ ପାଇଁ,
ସରଳୀକରଣ ପ୍ରକ୍ରିୟାଟି ଜମା
କେଉଁ ଭାଷାକୋଷେ ନାହିଁ ।
ବିଶ୍ୱାସ ସୂତ୍ରରେ ଜୀବନ ଅଙ୍କର
ହୋଇଯାଏ ସମାଧାନ,
ଏହା ହିଁ ମଣିଷ ଜୀବନ ଯାତ୍ରାର
ସରଳ ସମୀକରଣ ।
ଆଶାରେ ନିରାଶା ନିରାଶାରେ ଆଶା
ଛାଇ ଆଲୁଅ ତରଙ୍ଗ ।
ଦିନରେ ବି ରାତି ରାତିରେ ବି ଦିନ
ଏଇତ ଜୀବନ ରଙ୍ଗ !