କାଳ ଛଞ୍ଚାଣ
କାଳ ଛଞ୍ଚାଣ
ସମୟଟା ସତେ ଏତେ ଅଝଟିଆ
ଜୁଆରୀ ଯମୁନା ନଈ,
ଅଜାଣତେ ଆସି କାଳ ଛଞ୍ଚାଣଟା
ଅପଲକେ ଯାଏ ନେଇ।
କାଲି ଯିଏ ଥାଏ ଅତି ଆପଣାର
ଆଜି ହୋଇଯାଏ ଦୂର,
ଆପେ ଆପେ ସେଇ ସମୟଚକ୍ରରେ
ଛିଣ୍ଡେ ସମ୍ପର୍କର ଡୋର।
ଜୀବନଟା ସତେ ତମସା ରାତିର
ନିର୍ଜନ କୁହୁଡି ଘର,
ସମୟ ହାତରେ ଆପଣାର ହୁଏ
ନିଜଠୁ ଅନେକ ଦୂର।
ସକାଳ କିରଣ ଗୋଧୂଳିର ଛାଇ
ସମୟର ଯେତେ ରଙ୍ଗ,
ଋତୁ ଆସେ ଆସି ଭରି ଦେଇଯାଏ
ସମୟ ଦେହେ ତରଙ୍ଗ।
ସମୟ ସ୍ରୋତର ପରିମାପକ ଯେ
ସ୍ୱୟଂ ଚଳନ୍ତି ସମୟ,
ନିୟତି ଅବଶ୍ୟ ହିସାବ ରକ୍ଷକ
ସମୟ ହିଁ ଲୀଳାମୟ।
ସତ୍ କର୍ମ, ସତ୍ ଧର୍ମ,ସଦାଚାରଣରେ
ସମୟର ଉପଯୋଗ,
ଜୀବନକୁ କରେ ଯନ୍ତ୍ରଣାରୁ ଦୂର
ତାହା ହିଁ ନିୟତି ଯୋଗ।
ନିଃଶ୍ଵାସ ବିଚରା ଜାଣି ତ ନଥାଏ
ଫେରିବ କି ଆଉଥରେ ,
କିଏ ବା ଜାଣିଛି ସେ କାଳ ଛଞ୍ଚାଣ
ଆସେ କେବେ ଜୀବନରେ।
ରହିନାହିଁ କେହି ରହିବ ଯେ ନାହିଁ
ଏ ଦୁନିଆ ରଙ୍ଗମଞ୍ଚରେ ,
ଆସନ୍ତାକାଲିକୁ କିଏ ବା ଦେଖିଛି
କ'ଣ ଘଟିବ ଭାଗ୍ୟରେ !!
ଆଜିର କାମକୁ ଆଜି କରିନିଅ
କାଲି ପାଇଁ ରଖ ନାହିଁ,
ଆସନ୍ତାକାଲି ତ ସଦା ପ୍ରଶ୍ନବାଚୀ
ଛଞ୍ଚାଣ ରୂପେ ଆସଇ।।