ମନର ମୂଳେ ଏ ଜଗତ
ମନର ମୂଳେ ଏ ଜଗତ
ମନର ମୂଳରେ ଏ ସାରା ଜଗତ
ମନ ଭାଙ୍ଗିଗଲେ ଚୂନା,
ମନ ନ ମାନିଲେ ବେଙ୍ଗି ପିତ୍ତଳ ସେ
ମନ ମାନିଥିଲେ ସୁନା।
ମନକୁ ରୁଚିଲେ କଲରା ତ ମିଠା
ନହେଲେ ଅମୃତ ପିତା,
ମନ ବିଷାଦରେ କାହାଠାରୁ ଦୂର
କାହାସହ ନିବିଡ଼ତା।
ମନ ମଧ୍ୟେ ଶାନ୍ତି ଭରି ରହି ଥିଲେ
ସବୁ ଲାଗଇ ମଧୁର,
ସେହି ଶାନ୍ତି ଯଦି ହଜିଯାଏ ମନୁ
ଜୀବନ ଲାଗେ ଜହର।
ମନ ନିର୍ମଳରେ ଗଡିଆ ବି ଗଙ୍ଗା
ରୂପରେ ପ୍ରତୀୟମାନ,
ମନ ଅଶୁଦ୍ଧିରେ ସୁଖପ୍ରଦ ନୁହେଁ
କରିଲେ ବି ଗଙ୍ଗାସ୍ନାନ।
ସବୁ ଅଶାନ୍ତିର ମୂଳ କାରଣ ତ
ମଣିଷର ଏଇ ମନ,
ନାମ, ଧ୍ୟାନ,ସଙ୍ଗେ ଚିନ୍ତନ ମନନ
ଶୁଦ୍ଧ କରିଥାଏ ମନ।
ମନର ଶୁଦ୍ଧତା ଜୀବନେ ଜରୁରୀ
ସହାବସ୍ଥାନର ପାଇଁ,
ଯା'ର ବ୍ୟତିରକେ ଅଶାନ୍ତି ଗ୍ରାସଇ
ସମସ୍ୟା ଆସଇ ଧାଇଁ।
ମନ ପ୍ରଶିକ୍ଷଣ ଆୟତ ଅଧିନ
ସଫଳତା ଆଣିଦିଏ,
ବିଶୃଙ୍ଖଳିତରେ ଅଣାୟତ ଭାବେ
ସମସ୍ୟାକୁ ଉପୁଜାଏ।
ମନ ବୃନ୍ଦାବନ ,ଗୟା,କାଶୀ ସମ
ପୁଣି ତୀର୍ଥ ବାରଣାସୀ,
ଏଇ ମନେ ପରା ପ୍ରଭୁଙ୍କର ବାସ
ରଖିବା ମନକୁ ଖୁସି।
ଶାନ୍ତ ମନେ ସଦା ସୁବିଚାର ଆସେ
ଗଠନ ମୂଳକ କାର୍ଯ୍ୟ,
ଅଶାନ୍ତ ମନରେ ସୃଷ୍ଟି ଅନ୍ତରାୟ
ନିଷ୍ପତ୍ତି ହୁଏନି ଧାର୍ଯ୍ୟ।
ବେଗବାନ ଅଶ୍ବ ପରି ଅଟେ ମନ
ଆଖି ପିଛୁଳାକେ ଭ୍ରମେ,
ସାରା ବିଶ୍ବ ବୁଲେ ନିମିଷକେ ମଧ୍ୟେ
ଅଣାୟତ ବହୁଶ୍ରମେ।
ବଡ଼ ଶକ୍ତିଶାଳୀ ଅଟେ ଏହି ମନ
ଦୃଢ ମନୋବଳ ପାଇଁ,
ଅସମ୍ଭବ ଦିନେ ସମ୍ଭବ ହୁଅଇ
ଆଶା ଅନୁରୂପ ହୋଇ।।