ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ


ଯେଉଁ ଦେବୀ ଶକ୍ତି ସ୍ବରୂପିଣୀ,
ସର୍ଜନାର ଆଧାର ଯେଉଁ ଜନନୀ,
ଯାହାର ବକ୍ଷର ଅମୃତ ଝରଣାରେ
ସୃଷ୍ଟି ହୁଏ ପ୍ଲାବିତ, ଋଦ୍ଧିମନ୍ତ ଓ ଅମର;
ଯାହାର ମମତାମୟୀ ଦୃଷ୍ଟି
ସୃଷ୍ଟିରେ ଭରିଦିଏ ଅମାପ କୋମଳତା;
ଯେଉଁ ଶକ୍ତି ଓ ଶିବର ମିଳନରୁ ପରିପୁଷ୍ଟ ଧରାରେ
ଭରିଯାଏ ସର୍ଜନାର ମଧୁ ଝଂକାର;
ଯେଉଁ ଶକ୍ତି ଶାନ୍ତି,ଦୟା, କ୍ଷମା
ଧୃତି ଆଦି ଦେବକନ୍ୟା ରୂପରେ
ସମସ୍ତଙ୍କ ହୃଦୟରେ ସଂସ୍ଥିତା ;
ମାୟା ରୂପରେ ଯେଉଁ ଶକ୍ତି ସମସ୍ତଙ୍କ
ଅନ୍ତଃଦୃଷ୍ଟିରେ ପ୍ରହେଳିକା;
ଯେଉଁ ଶକ୍ତି ଛଳନା ରୂପରେ
ଚେତନାକୁ ଜାଗ୍ରତ କରିବାକୁ ବିଦ୍ୟମାନା;
ଯେଉଁ ଶକ୍ତି ଶାନ୍ତ-ସ୍ନିଗଧ ଜ୍ୟୋତ୍ସ୍ନା
ରାତିର ସ୍ବର୍ଶ ଏବଂ ଯାହା ଭିତରେ
ବିଦ୍ୟମାନ ଭୟଙ୍କର ବନ୍ୟାର ଶକ୍ତି;
ଯାହା ଭିତରେ ରହିଛନ୍ତି ଅମୃତ ଦୃଷ୍ଟିମୟୀ
ଭଗ୍ନୀ ସଙ୍ଗେ ସଙ୍ଗେ ହଳାହଳ ଉଦ୍ଗାରିଣୀ
ଭୟାବହ ବିଷକନ୍ୟା;ପରମାଣୁ ଶକ୍ତି ସ୍ବରୂପିଣୀ
ମହାଶକ୍ତିର ଉତ୍ସ!
ସେ ଯୁଦ୍ଧ,ସେ ଶାନ୍ତି,ସେ ସନ୍ଧି ସେ ବିଗ୍ରହ;
ସେ ପ୍ରଳୟ,ସେ ପ୍ରଭବ ଏବଂ ଜଡ ଏବଂ
ସେହି ମଧ୍ୟ ଚେତନ।
ତାଙ୍କ ବିନା ସୃଷ୍ଟି ଅସମ୍ଭବ।
ସେ ହିଁ ପ୍ରକୃତି,ସେହି ମଧ୍ୟ ବିକୃତି।
ସେହି ଶକ୍ତି ମନୁଷ୍ୟ ମନ ଭିତରେ
ରହିଛନ୍ତି ଧନ,ବିଦ୍ୟା, କର୍ତ୍ତୃତ୍ବ, କର୍ତ୍ତବ୍ୟ
ସେବା ଏବଂ ଶୃଖଳା ରୂପରେ;
ବିଦ୍ୟାଦାତ୍ରୀ ସେ ସରସ୍ଵତୀ,
ଧନଦାତ୍ରୀ ସେ ମହାଲକ୍ଷ୍ମୀ,
ଶକ୍ତି ପ୍ରଦାୟିନୀ ସେ ମହିଷାମର୍ଦ୍ଦିନୀ ଦୁର୍ଗା,
ଦୁଷ୍କୃତ ନାଶିନୀ ସେ ମହାକାଳୀ ଶିବା,
ଦୁଷ୍ଟ ଶକ୍ତି ବିନାଶିନୀ ସେ ଚଣ୍ଡିକା,
ବିମଳା,ଭୈରବୀ ଓ ରକ୍ତମୁଖା ରଣଚଣ୍ଡୀ।
ସେହି ମହାଶକ୍ତିଙ୍କୁ ଆଭୂମ ପ୍ରଣିପାତ,
ନମସ୍ତସୈ, ନମସ୍ତସୈ, ନମସ୍ତସୈ
ନମୋ ନମଃ...