ନବଧା ଭକ୍ତି
ନବଧା ଭକ୍ତି
ଭକତିର ଭାବ ଆତ୍ମ ସମର୍ପଣ
ମନ ଆଉ ହୃଦୟର,
ଭକତିରେ ବଶ ଈଶ୍ୱର ସର୍ବଦା
ନଥାଏ ବାଛ ବିଚାର।
ଭକତି ଅଟଇ ନଅ ପ୍ରକାରର
ନବଧା ଭକ୍ତି ନାମରେ,
ସେହି ନବ ଭକ୍ତି ପ୍ରମୁଖ ମାଧ୍ୟମ
ଈଶ୍ୱରଙ୍କୁ ପାଇବାରେ।
ଶ୍ରବଣ କୀର୍ତ୍ତନ ମନନ ଚିନ୍ତନ
ପ୍ରଭୁଙ୍କ ପାଦ ସେବନ,
ଅର୍ଚ୍ଚନା, ବନ୍ଦନା ଦାସ, ସଖା ଭାବ
ଆଉ ଆତ୍ମ ସମର୍ପଣ।
କୃଷ୍ଣ ରସାମୃତ ଶ୍ରବଣ କରିଲେ
ରାଜା ପରୀକ୍ଷିତ ପରା,
ମୋକ୍ଷ ପ୍ରାପ୍ତି କରି ତରିଗଲେ ସିଏ
ଯଶ ଗାନ କରେ ଧରା।
ବ୍ୟାସ ଦେବ ଜନ୍ମ ଗ୍ରହଣ କରିଲେ
ପ୍ରଭୁଙ୍କର ଅଂଶ ନେଇ,
ଭଜନ କୀର୍ତ୍ତନ ଦର୍ଶନ ଭିତରେ
ଶାସ୍ତ୍ର ପୁରାଣ ରଚଇ।
ଭକ୍ତ ପ୍ରହଲ୍ଲାଦ ସ୍ମରଣେ ଚିନ୍ତନେ
ଧ୍ୟାନ ଥିଲା ତାର ମୁଖ୍ୟ,
ତାର କଷ୍ଟ ପ୍ରଭୁ ସହି ପାରିଲେନି
ବିଦାରିଲେ ହିରଣାକ୍ଷ।
ଲକ୍ଷ୍ମୀ ମାଆ ନିଜେ ସେବୀକା ରୂପରେ
କରୁଥାନ୍ତି ପଦ ସେବା,
ଦିବାନିଶି ଶ୍ରଦ୍ଧା ଭକ୍ତିରେ ପୂଜନ୍ତି
ପ୍ରଭୁଙ୍କ ପାଶରେ ଉଭା।
ପୃଥୁରାଜା ଥିଲେ ପ୍ରଜା ବତ୍ସଳ ଯେ
ନିଷ୍କପଟ ତାଙ୍କ ମନ,
କାମନା ରହିତ ମନରେ କରିଲେ
ପ୍ରଭୁଙ୍କ ଦିବ୍ୟ ଦର୍ଶନ।
ଯଦୁ ବଂଶ ଭକ୍ତ ଅକ୍ରୁର ଭକ୍ତିରେ
ପ୍ରଭୁ ହୋଇଥିଲେ ତୋଷ,
ଶାଶ୍ବତ ରୂପକୁ ଦର୍ଶନ କରିଲେ
ଲଭିଲେ ଆତ୍ମସନ୍ତୋଷ।
ଦାସାନୁଦାସ ଯେ ଭକ୍ତ ହନୁମାନ
ନିଷ୍କାମ ଭକତି ପାଇଁ,
ଶ୍ରୀରାମଙ୍କ ପାଦେ ଶ୍ରେଷ୍ଠ ଭକ୍ତ ଭାବେ
ଯୁଗେ ଯୁଗେ ଛନ୍ତି ରହି।
ଶ୍ରେଷ୍ଠତ୍ତମ ସଖା ଅର୍ଜୁନ ଅଟନ୍ତି
ସେ ଭାବ ଅଟେ ନିଆରା,
ଅର୍ଜୁନ ସହିତ ରହିଥିଲେ ପ୍ରଭୁ
ଭାବ ବନ୍ଧନରେ ପରା।
ବଳି ରାଜାଙ୍କର ଆତ୍ମ ସମର୍ପଣ
ଶ୍ରେଷ୍ଠତାର ନିଦର୍ଶନ,
ଦାନରେ ଛଳରେ ପ୍ରଭୁ ବର ମାଗି
ସର୍ବସ୍ବ କଲେ ହରଣ।
ନବଧା ଭକତି ଗହନର କଥା
ବୋଧଗମ୍ୟ ଅସହଜ,
ଭାବ ଓ ଭକ୍ତିରେ ପୂର୍ଣ୍ଣ ସମର୍ପଣେ
ଈଶ୍ୱର ପ୍ରାପ୍ତି ସହଜ।