ବ୍ୟକ୍ତିତ୍ଵ
ବ୍ୟକ୍ତିତ୍ଵ
ବ୍ୟବହାର ଅଟେ ମଣିଷ ଜୀବନ
ନାଟକର ପୂର୍ବାଭାଷ,
ଲଜ୍ୟା ଶାଳିନତା ଜୀବନେ ଜରୁରୀ
ବ୍ୟକ୍ତିତ୍ଵ କରେ ପ୍ରକାଶ।
ବ୍ୟକ୍ତିତ୍ଵ ଦ୍ବାରା ହିଁ ମଣିଷ ପହଞ୍ଚେ
ଅପହଞ୍ଚ ଇଲାକାରେ,
ସବୁ ହୃଦୟରେ ପୂଜା ପାଇଥାଏ
ବଞ୍ଚେ ବି ସୁଖ ଶାନ୍ତିରେ।
ବ୍ୟକ୍ତିତ୍ଵ ଯେଉଁଠି ଅସ୍ତିତ୍ବ ହରାଏ
ଲଜ୍ଯାହୀନତା ଭାବରେ,
ନିନ୍ଦା ଅପବାଦ ଡେଙ୍ଗୁରା ବାଜଇ
ସେହି ବ୍ୟକ୍ତିର ନାମରେ।
ରଖିଯାଅ ନାହିଁ ନିଜ ଜୀବନରେ
କଳଙ୍କର କଳାଛାଇ,
ବରଂ ଜୟକର ସବୁରି ହୃଦୟ
ସୁନ୍ଦର ବ୍ୟକ୍ତିତ୍ବ ହୋଇ।
ଆଙ୍ଗିକ ଗହଣା ଆବଶ୍ୟକ ନାହିଁ ,
ସ୍ବାଭିମାନ ଆଭୂଷଣ,
ସୁଖ ସମ୍ମାନର ଅଭାବ ନ ଥିବ
ହସିବ ମଣିଷପଣ।
ବ୍ୟକ୍ତିତ୍ଵେ ରହିଲେ ସ୍ବାଭିମାନ ପଣ
ଜୀବନେ ପୂର୍ଣ୍ଣତା ଆସେ,
ସୁନ୍ଦର ବ୍ୟକ୍ତିତ୍ବ ସଭିଁକୁ ତ ମୋହେ
ତା' ପାଇଁ ଦୁନିଆ ହସେ।
ନିର୍ମଳ ବ୍ୟକ୍ତିତ୍ଵ ରହିଛି ଯାହାର
ଅନ୍ୟ ହୃଦେ ଘର କରେ ,
କପଟତା ମନ ଅଶାନ୍ତିର ମୂଳ
ସବୁରି ପାଖରେ ହାରେ ।
ଉଦାରତାପଣ ଥିଲେ ମଣିଷର
ହୁଏ ହୃଦୟ ନାୟକ।
ମଣିଷ ରୂପରେ ପୂଜାପାଏ ସିଏ
ସଭିଙ୍କ ପ୍ରିୟ ବାହାକ ।
ତ୍ୟାଗ ତ ମହାନ୍ ଭୋଗ ପରା ନ୍ୟୁନ
ବ୍ୟକ୍ତିତ୍ଵ ବିରଳ ସ୍ଥିତି ,
ସଦା ହୁଏ ପୂଜ୍ୟ ତାର ଅଭିନୟ
ଶ୍ବାଶତ ଶରଧା-ପ୍ରୀତି ।
ନାୟକ ହେଉ ବା ସୁନ୍ଦରୀ ନାୟିକା
ରୂପ ତା' ସୌନ୍ଦର୍ଯ୍ୟ ନୁହେଁ ,
ସମ୍ବେଦନଶୀଳ ସରଳ ହୃଦୟ
ସବୁଠି ସମ୍ମାନ ପାଏ ।