ନିଦାଘ କାଳ
ନିଦାଘ କାଳ
ପ୍ରଚଣ୍ଡ ନିଦାଘେ ଉତ୍ତପ୍ତ ଧରଣୀ
ଶୁଖିଯାଏ ନଦୀ ନାଳ,
ମୁଣ୍ଡ ଝାଳ ତୁଣ୍ଡେ ମାରି ଯେ ଖଟୁଛି
ଖରା ହେଉଛି ତା କାଳ।
ଶ୍ରମିକ ହେଉ ବା ହେଉ ସେ କୃଷକ
ରକ୍ତ ଲହୁ ହୋଇ ଝରେ,
ଲେଲିହାନ ବହ୍ନି ଉଦ୍ଗିରଣ ହୁଏ
ହସେ ସୂର୍ଯ୍ୟ ନିର୍ବିଘ୍ନରେ।
ଧନୀ ଲୋକ ପାଇଁ ପ୍ରକୋଷ୍ଠ ତ ଥାଏ
ଶୀତ ତାପ ନିୟନ୍ତ୍ରିତ,
ଗରିବ ବିଚରା ନିଦାଘ ଦାଉରେ
ହେଉଥାଏ ଜର୍ଜରିତ।
ଅତ୍ୟନ୍ତ ନିଷ୍ଠୁର ନିଦାଘ ସମୟ
ଅଗ୍ନି ପରିକା ଉତ୍ତପ୍ତ,
ସେ ତାପ ଫଳରେ କିଛି ଲୋକଙ୍କର
ହୋଇ ଯାଏ ଅଂଶୁଘାତ।
ସବୁଜ ପ୍ରକୃତି ଜଳି ଶୁଖି ଅଛି
ଧରାପୃଷ୍ଠେ ଧୂଆଁ ବାଣ,
ତାର ଶିଥିଳତା ହଜି ଯାଇଅଛି
କରୁଛି ରକ୍ତ ତର୍ପଣ।
ରୁକ୍ଷ୍ୟ ମଣିଷର କୃତକର୍ମ ପାଇଁ
ସୂର୍ଯ୍ୟ ସାଜେ କ୍ରାନ୍ତିକାରୀ,
ମଣିଷ ସତରେ ଅଟଇ ଜହ୍ଲାଦ
ପ୍ରକୃତି ତାର ବଇରୀ।
ହେ! ସୂର୍ଯ୍ୟ ଦେବତା ସର୍ବ ଶକ୍ତି ଦାତା
କରନି ବୈମାତୃକତା,
ରୈାଦ୍ର ତାପରେ ପ୍ରଖର ରଶ୍ମୀରେ
ଗରୀବର ମୁଣ୍ଡ ବ୍ୟଥା।
ଦାରୁଣ ନିଦାଘ ଜାଳି ଦେଉଅଛି
ପଶୁ ପକ୍ଷୀ ଵୃକ୍ଷଲତା,
ପ୍ରଚଣ୍ଡ ନିଦିଘେ ନଇଁ ପଡିଛନ୍ତି
ହରାଇ ନିଜ ଆଦ୍ରତା।
ସକଳ ଶକ୍ତିର ଆଧାର ହେ ତୁମେ
କରିଥାଅ ଦିନ ରାତି,
ଦୟା ପରବଶେ କମାଇ ଦିଅହେ!
ପ୍ରଚଣ୍ଡ ନିଦାଘ ତାତି।
ଆଶ୍ବସ୍ତ ଲଭିବ ଧରା ,ବୃକ୍ଷ,ଲତା
ବିକଳ ହୁଅନ୍ତି ପ୍ରାଣୀ,
ନିଆଁ ବୃଷ୍ଟିପାତ କର ନାହିଁ ଆଉ
ଦୟାକରି ଦିନମଣି।