ନିଖୋଜ
ନିଖୋଜ
ମୁଁ ନିଖୋଜ ଦୁନିଆ ଭିଡ଼ରେ
ଅପହଞ୍ଚ ଦିଗବଳୟରେ
ଖିଆଲି ମନଟା ଉଡିବୁଲେ ଖାଲି
ସ୍ଵପ୍ନର ନୀଳ ଆକାଶରେ ।।
ଦୁକୁଦୁକୁ ହୃଦୟ ସ୍ପନ୍ଦନ
ଛଟପଟ ଛୋଟିଆ ପ୍ରାଣ
ସମୟର ତାଡ଼ନାରେ
ଲୁହ ଧାରେ ବୋହିଯାଏ ଅଞ୍ଜନ
ଅନ୍ତରେ କେହି କରୁଛି ରୋଦନ ।।
ମୁଁ ନିଖୋଜ ଗଭୀର ଜଳରେ
ଉଛୁଳେ ଯାହା ହୃଦ ପାରାବାରେ
ଅହରହ ଜାଳେ
ଅଲିଅଳୀ ଭାବନା
ଧରାଶାୟୀ ଯେବେ ହୁଏ ସେ ପ୍ରହାରେ ।।
ବିଶ୍ଵାସ ଭାସୁଛି ପଦ୍ମପତ୍ରେ ଯେବେ
ଟଳମଳ ହୁଏ ଆଶା
ଦୋଛକିରେ ଅଣନିଶ୍ଵାସୀ
ଛଟପଟ ଦେଖ ଭରସା ।।
ମୁଁ ନିଖୋଜ ନିଜ ଭିତରେ
କରୁଛି ଆତ୍ମମନ୍ଥନ
ଲୁଚିଛି ଅକୁହା ବେଦନା
ହସୁଛି ଅଲୋଡ଼ା ଜୀବନ
ମୁଁ ନିଖୋଜ
ନିଖୋଜ ମନ ଦର୍ପଣ ।।
